- ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଜିଲ୍ଲାପାଳ ଦେଲେ ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ
- ମଇ ୨୯ରେ 5T ସଚିବ ଗସ୍ତ କରି ଦେଇଥିଲେ ନିର୍ଦ୍ଦେଶ
ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର । କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ । ଗତ ମେ’ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଗତକାଲି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି ।
ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି ।
ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନଃ ଉଦ୍ଧାର, ବସଷ୍ଟାଣ୍ଡ, କୌପୀନ ଧାରୀ ମହିମା ସମାଜ ପୀଠ ପୁନ ନିର୍ମାଣ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ ।
ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକିକରଣ କରାଯିବ । ଜଗନ୍ନାଥ ମନ୍ଦିରଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ ।
ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନଃ ଉଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ । ଆଲୋକିକରଣ ସହିତ ପ୍ରମନେଡ ତିଆରି କରାଯିବ ।
ସାଧୁ ଓ ଭକ୍ତମାନଙ୍କ ପାଇଁ ୨୦୦ ଟଏଲେଟ ନିର୍ମାଣ କରାଯିବ ।
ପୁରା ପ୍ରକଳ୍ପରେ ସାଧୁ ସନ୍ଥ, ଭକ୍ତ, ଓ ଅତିଥି ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ । ସୌନ୍ଦର୍ଯ୍ୟକରଣ ସହିତ ଏହା ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର ହେବା ପାଇଁ ସବୁ ପଦକ୍ଷେପ ନିଆଯିବ ।