ଜୀବିକା ହରାଇଛନ୍ତି ଶ୍ରମିକ : ଶ୍ରମିକ ପେଟକୁ ଲାତ ମାରିଛି ଧାନ କଟା ମେସିନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରମିକ ମୁଠେ ଦାନା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଥାଆନ୍ତି ।କେତେବେଳେ ଦାଦନ ଖଟି ଖଟି ପାଇଁ ଜୀଵନ ହରାଇ ଥାଆନ୍ତି ତ’ କେତେବେଳେ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡିଥାଆନ୍ତି । ତେବେ ବର୍ତ୍ତମାନ ବିଜ୍ଞାନ ଯୁଗରେ ମେସିନ ସାଜିଛି ମଣିଷର ସାହା ଭରସା । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଶ୍ରମିକଙ୍କ ପେଟକୁ ଲାତ ମାରୁଛି ଧାନ କଟା ମେସିନ । ଦିନ ଥିଲା ଧାନ କାଟିବ ପାଇଁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁଥିଲା ଚାଷୀଙ୍କୁ । ଗ୍ରାମାଞ୍ଚଳରେ ଶ୍ରମିକଙ୍କ ଉପରେ ଧାନ କାଟିବା ପାଇଁ ନିର୍ଭର କରୁଥିଲା ଚାଷୀ । ଯଦି ଠିକ୍‌ ସମୟରେ ଚାଷୀ ଖେତରୁ ଧାନ କାଟି ନ ପାରିଲା ତେବେ ଅଦିନିଆଁ ବର୍ଷା ହେଲେ ଧାନ ସବୁ ନଷ୍ଟ ହୋଇଯାଉଥିଲା । ଯାହା ଫଳରେ ଚାଷୀ ଧାର କରଜ ଆଣି ଧାନ ଚାଷ କରି ଥିବାବେଳେ ଚିନ୍ତା ପଡି ଯାଉଥିଲା । ହେଲେ ଏବେ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ବଳରେ ଆଜି ସମୟ ବଦଳି ଯାଇଛି । ଆଉ ଅପେକ୍ଷା କରିବାକୁ ଚାଷୀ ପାଖରେ ସମୟ ବି ନାହିଁ । ବର୍ତ୍ତମାନ ସମୟରେ ଚାଷୀର ହାତ ପାହାନ୍ତାରେ ଧାନ କଟା ମେସିନ । ଦିନକ ମଧ୍ୟରେ ହେକ୍ଟର ହେକ୍ଟର ଚାଷ ଜମିରୁ ଧାନ କାଟି ଦିଆଯାଉଛି । ଆଉ ଦରକାର ପଡ଼ୁନାହିଁ ଶ୍ରମିକ ମାନଙ୍କୁ । ତେବେ ଧାନ କଟା ମେସିନ ଶ୍ରମିକ ପେଟରେ ଲାତ ମାରିଥିବା କହିଲେ କିଛି ଭୁଲ ହେବନାହିଁ ।ସୂଚନାଯୋଗ୍ୟ ଯେ, ଆଜକୁ ପ୍ରାୟ ୮ମାସରୁ ଅଧିକ ହେବ ଗ୍ରାମାଞ୍ଚଳର ଶ୍ରମିକମାନେ ଲକଡାଉନ, ସଟଡାଉନ ଯୋଗୁଁ ହାତବାନ୍ଧି ବସିଛନ୍ତି । ହାତରେ କାମ ନାହିଁ । ହେଲେ କାମ ଧନ୍ଦା ଅଭାବରୁ ବଲାଙ୍ଗିର ଜିଲ୍ଲାରେ ଏବେ ଅନେକ ଲୋକ ବେରୋଜଗାର । ଅନ୍ୟପକ୍ଷରେ ଦାଦନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି ଶ୍ରମିକମାନେ । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ରୋଜଗାର ଯୋଗେଇ ଦେବା ପାଇଁ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଦାବୀ କରିଛନ୍ତି ।

Leave A Reply

Your email address will not be published.