jayashree

ଲାଠୋର ପୋଲିସର ସଫଳତା : ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଦୁଇ ମହିଳାଙ୍କୁ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରୋଡ଼ ରେଳଷ୍ଟେସନରୁ ବୁଧବାର ଅପରାହ୍ନ ସମୟରେ ଲାଠୋର ପୋଲିସ ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସହ ଦୁଇ ମହିଳାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ମହାରାଷ୍ଟ୍ର ରାଜ୍ୟ ନାଗପୁର ସହରର ଇତବାରୀ ନଗରର ଜଣେ ମହିଳା ରେଖା କୁଛବଣ୍ଡିଆ ଠାକୁର, ସ୍ୱାମୀ ଭରତ କୁଛବଣ୍ଡିଆ ଠାକୁର ଏବଂ ମଧ୍ୟପ୍ରଦେଶ ରାଜ୍ୟ ଇଟାରଶି ଜିଲ୍ଲା ହୋସଙ୍ଗାବାଦ ସହର, ପୁରାନି ଗଲ୍ଲାମଣ୍ଡିର ଜଣେ ଯୁବତୀ ଦିବ୍ୟା କେୱାଟ ପିତା ମୁକେଶ କେୱାଟ ଏକ ବ୍ୟାଗରେ ୮ କେଜି ୬୦୦ ଗ୍ରାମ ଗଞ୍ଜେଇ ଆଜି ଅପରାହ୍ନରେ ବିଶାଖାପାଟଣା-ଦିଲ୍ଲୀ ସମତା ସୁପରଫାଷ୍ଟ ଏକ୍ସପ୍ରେସରେ ନେଉଥିବା ବେଳେ ଲାଠୋର ପୋଲିସ କୌଣସି ସୂତ୍ରରୁ ଖବର ପାଇ ସଦଳବଳେ ଷ୍ଟେସନରେ ପହଞ୍ଚି ସମ୍ପୃକ୍ତ ଦୁଇ ମହିଳାଙ୍କୁ ପଚରାଉଚରା କରିଥିଲେ । ଏଥିରେ ଯୁବତୀ ଜଣକ ଉତ୍‌କ୍ଷିପ୍ତ ହୋଇ ପୋଲିସକୁ ଅପବ୍ୟବହାର କରିବା ସହ ରେଳ ଧାରଣାରୁ ପଥର ଉଠାଇ ମାରିବାକୁ ଉଦ୍ୟମ କରୁଥିଲେ । ଲାଠୋର ପୋଲିସ ପାଖରେ ମହିଳା ପୋଲିସ କର୍ମଚାରୀ ଅଭାବ ହେତୁ ନାକେ ଦମ୍‌ ହେବାକୁ ପଡିଥିଲା । ପରେ ଜନସାଧାରଣଙ୍କ ସହଯୋଗରେ ସ୍ଥାନୀୟ ଦୁଇଜଣ ମହିଳା ବାହାରି ପୋଲିସକୁ ସହଯୋଗ କରିବାରୁ ସମ୍ପୃକ୍ତ ଦୁଇ ମହିଳାଙ୍କୁ ଗିରଫ କରିବା ସହଜ ହୋଇଥିଲା । ସମ୍ପୃକ୍ତ ଦୁଇ ମହିଳାଙ୍କୁ ଥାନାକୁ ଆଣି ପଚରା ଉଚରା କଲା ବେଳେ ଥାନାରେ ମଧ୍ୟ ପାଟିତୁଣ୍ଡ କରୁଥିବା ଦେଖାଯାଇଥିଲା । ଦୀର୍ଘ ଦିନରୁ ହରିଶଙ୍କର ରୋଡ଼ ରେଳ ଷ୍ଟେସନରେ ରେଳ ପୋଲିସ ବଳ ନିଯୁକ୍ତି ଦେବା ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ କେହି କଥାକୁ କର୍ଣ୍ଣପାତ କରୁନଥିବା ହେତୁ ଲୋକାଲ ପୋଲିସକୁ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ଲାଠୋର ଥାନାଧିକାରୀ ଝସକେତନ ଭୋଇଙ୍କୁ ପଚାରିବାରୁ ଆମେ ଦୁଇ ମହିଳାଙ୍କ ବିରୁଦ୍ଧରେ ଲାଠୋର ଥାନା କେସ ନଂ ୭୦/୨୦୨୩ରେ ଏନ୍‌ଡିପିଏସ୍‌ ଧାରା ଏବଂ ୨୦ବି ଅନୁଯାୟୀ ଏକ ମାମଲା ଋଜୁ କରି ସମ୍ପୃକ୍ତ ଦୁଇ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ । ହରିଶଙ୍କର ରୋଡ଼ ରେଳ ଷ୍ଟେସନର ପ୍ରତ୍ୟହ ବିଭିନ୍ନ ଟ୍ରେନରେ ଗଞ୍ଜେଇ ଚାଲାଣ ହେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଅଛି । ଏଥିପ୍ରତି ରେଳ ବିଭାଗ ଏବଂ ଓଡିଶା ପୋଲିସ ଯତ୍ନବାନ ହେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.