jayashree

ମାଟିତଳୁ ଅଷ୍ଟଧାତୁ ଲକ୍ଷ୍ମୀନୃସିଂହଙ୍କ ପ୍ରତିମୂର୍ତ୍ତି ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ରବୀନ୍ଦ୍ର ପଟ୍ଟନାୟକଙ୍କ ଘରର ମାଟି ତଳୁ ଶନିବାର ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନୃସିଂହଙ୍କ ପ୍ରତିମୂର୍ତ୍ତି ଉଦ୍ଧାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ରବୀନ୍ଦ୍ରଙ୍କ ଭାଇ ସୁରେନ୍ଦ୍ର ପଟ୍ଟନାୟକଙ୍କୁ ସ୍ୱପ୍ନାଦେଶ ହେବା ପରେ ଶନିବାର ମାଟି ଖୋଳା ଯାଇଥିଲା । ପ୍ରାୟ ଛଅ ଫୁଟ ଗଭୀର ମାଟି ଖୋଳିବା ପରେ ଶବ୍ଦ ହୋଇଥିଲା । ପରେ ଶାବଳରେ ପଇତା ସୁତା ବାନ୍ଧି ଖୋଲିବାରେ ସୂତାରେ ଲାଗି ପ୍ରଥମେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଥିଲା ଏବଂ ପରେ ପୁଣି ତାହା କରିବାରେ ଲକ୍ଷ୍ମୀ ନୃସିଂହଙ୍କ ଯୁଗଳ ପ୍ରତିମୂର୍ତ୍ତି ମଧ୍ୟ ମିଳିଥିଲା । ଠାକୁରଙ୍କ ମୂର୍ତ୍ତି ଉଦ୍ଧାର ପରେ ପଟ୍ଟନାୟକ ପରିବାର ପକ୍ଷରୁ କ୍ଷୀରରେ ମୂର୍ତ୍ତିକୁ ଧୋଇ ପୂଜାର୍ଚ୍ଚନା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଠାକୁରଙ୍କ ଦର୍ଶନ ନିମନ୍ତେ ଲୋକଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । କେଉଁ ଆବାହନ କାଳରୁ ତଥା ପୂର୍ବ ପୁରୁଷରୁ ତାଙ୍କ ପରିବାର ନୃସିଂହଙ୍କ ପୂଜା କରି ଆସୁଥିଲେ । କାଳକ୍ରମେ ପରିବାର ଅଲଗା ହେବା ପରେ ପୂଜା ବନ୍ଦ ହୋଇଯାଇଥିବା ଆଲୋଚନା ହେଉଛି । ମିଳିଥିବା ସୂଚନା ଅନୁସାରେ ରବୀନ୍ଦ୍ରଙ୍କ ସାନ ଭାଇ ସୁରେନ୍ଦ୍ରଙ୍କୁ ଗତ କିଛି ଦିନ ତଳେ ଠାକୁରଙ୍କ ମୂର୍ତ୍ତି ଘରେ ଥିବା ଏବଂ ପୂଜାର୍ଚ୍ଚନା କରାଯାଉ ନଥିବା ସ୍ୱପ୍ନ ହୋଇଥିଲା । ସ୍ୱପ୍ନ ହେବା ପରେ ସେ ଦେବସ୍ନାନ ପୂର୍ଣ୍ଣିମା ଦିନ ପୁରୀ ଯାଇ ସେଠାରେ ତାଙ୍କର ଜଣେ ସମ୍ପର୍କୀୟ ତଥା ସାଧକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ସମସ୍ତ ଭାଇମାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରି ଶନିବାର ମାଟି ଖୋଳାଯାଇ ଠାକୁରଙ୍କ ପ୍ରତିମୂର୍ତ୍ତି ଉଦ୍ଧାର କରିଥିଲେ ।

Leave A Reply

Your email address will not be published.