ଟିଟିଲାଗଡ଼ ମଧୁବନ ଏଫ୍‌ଏଲ୍‌ ଅଫ୍‌ ସପ୍‌ରେ ଅବକାରୀ ବିଭାଗର ଚଢ଼ାଉ : ଚଢାଉ ବେଳେ ବ୍ୟବହୃତ ହୋଇଥିବା ଗାଡ଼ି ଏବେ ଚର୍ଚ୍ଚାରେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି, ସେଥିପାଇଁ ରାଜସ୍ୱ ମଧ୍ୟ ସେତିକି ପରିମାଣରେ ଆଦାୟ ହେବା ଆବଶ୍ୟକ । ସେଥିପାଇଁ ଖଣି ଖାଦାନ, ବାଲି ସ୍ରୋତ, ପଥର କୁଆରି, ଦେଶି ବିଦେଶୀ ମଦ ଦୋକାନ, ଟୋଲ୍‌ ଗେଟ୍‌ ଆଦିକୁ ଲିଜ୍‌ ମାଧ୍ୟମରେ ଲୋକଙ୍କୁ ଦିଆଯାଇଥାଏ । ସେଠାରୁ ଆସୁଥିବା ଆୟ ଲୋକଙ୍କ ଜନହିତକର କାର୍ଯ୍ୟରେ ଲାଗିଥାଏ । ସରକାରଙ୍କ ମୁଖ୍ୟ ରାଜସ୍ୱ ଏହି ମାଧ୍ୟମରେ ଆସୁଥିବା ବେଳେ ମଦ ବ୍ୟବସାୟ ଏମାନଙ୍କ ଭିତରୁ ଅନ୍ୟତମ । ମଦ ଦୋକାନ ଖୋଲିବାକୁ ହେଲେ ସରକାର ଟେଣ୍ଡର ଆହ୍ୱାନ କରି ଏହି ଦୋକାନକୁ ନିଲାମ କରାଯାଇଥାଏ । ବିନା ଲାଇସେନ୍ସରେ ମଦ ବିକ୍ରିକୁ ରୋକିବା କାମ ହେଉଛି ଅବକାରୀ ବିଭାଗର । ଗତ ଆଠ ତାରିଖ ଦିନ ଟିଟିଲାଗଡ ଅବକାରୀ ବିଭାଗ ପକ୍ଷରୁ ରେଳ ଷ୍ଟେସନ ଯିବା ରାସ୍ତାରେ ମଧୁବନ ବିଦେଶୀ ମଦ ଦୋକାନ ଉପରେ ଚଢାଉ ହୋଇଛି । ଏହି ଦୋକାନରେ ଚଢ଼ା ଦରରେ ମଦ ବିକ୍ରୀ, ବିଲ୍‌ ନ ଦେବା, ସମୟ ସୀମା ରହିଥିବା ବେଳେ ମନ ଇଚ୍ଛା ଦୋକାନ ଭିତରେ ମଦ ବିକ୍ରି କରିବା ଅଭିଯୋଗ ଆଧାରରେ ଏହି ଚଢାଉ କରାଯାଇଥିବା ଅବକାରୀ ଅଧିକାରୀ ଆଶିଷ ବେହେରା ପ୍ରକାଶ କରିଥିଲେ ।

ଅଭିଯୋଗ ଅନୁସାରେ ଚଢାଉ ବେଳେ ଦୋକାନରେ ବିକ୍ରି କରୁଥିବା ସେଲ୍‌ସ୍‌ ମେନ ଡ୍ରେସ କୋଡ ନ ପିନ୍ଧିବା, ଭିତରେ ସଫାସୁତୁରା ନ ରଖିବା, ଷ୍ଟକ୍ ବିବରଣୀ ନଥିବା କହିଥିଲେ ଅଧିକାରୀ । ଅପର ପକ୍ଷରେ ଏହା ଜାଣିଶୁଣି ଅଧିକାରୀ ହଇରାଣ କରିବା ଅଭିଯୋଗ କରିଛନ୍ତି ମ୍ୟାନେଜର ପ୍ରେମ । କିଛିଦିନ ତଳେ ବଡ଼ମାଲ ଭିଆଇପି ଛକଠାରେ ଏକ କୁଚିଆ ମଦ ଦୋକାନରେ ନକଲି ବିଦେଶୀ ମଦ ବିକ୍ରି କରୁଥିବା ଜାଣି ଅବକାରୀ ଅଧିକାରୀ ଶ୍ରୀ ବେହେରାଙ୍କୁ ଜଣାଇଥିଲେ ମ୍ୟାନେଜର ପ୍ରେମ । ଘଟଣା ସ୍ଥଳକୁ ଯାଇ ଅବକାରୀ ବିଭାଗର ଅଧିକାରୀ ପାଖାପାଖି ସାଢେ଼ ଛ’ ଲିଟର ବିୟର ଓ ଚଉଦ ଲିଟର ବିଦେଶୀ ମଦ ଜବତ କରିବା ସହ ରାଜେଶ ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲେ । ତା’ ସଙ୍ଗେ ଏକ ଗୋଦାମରେ ମଧ୍ୟ ବହୁତ ବିଦେଶୀ ମଦ ଥିବା ଖବର ପାଇ ଅବକାରୀ ଅଧିକାରୀ ଆଶିଷ ବେହେରା ଗୋଦାମରେ ତାଲା ମାରି ଚାଲି ଆସିଲେ, ନିୟମ ମୁତାବକ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋଦାମ ଗୃହ ଖୋଲି ଯାଞ୍ଚ କରାଯିବା କଥା, ଏହା ନ କରି କେବଳ ତାଲା ମାରି ପଳେଇ ଆସି ସକାଳୁ ଗଲା ପରେ ସେ ଭିତରେ କିଛି ନାହିଁ ବୋଲି କହିଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ମିଡ଼ିଆ ଆସି ଖବର ପ୍ରସାରଣ କାହିଁକି କଲା ? ମିଡ଼ିଆ ବାଲାଙ୍କୁ କିଏ ଖବର ଦେଲା ବୋଲି ଶ୍ରୀ ବେହେରା ଚିଡି ଯାଇଥିବା ବେଳେ ମଧୁବନ ମ୍ୟାନେଜର ପ୍ରେମଙ୍କ ସହ ଯୁକ୍ତି ତର୍କ ମଧ୍ୟ ହୋଇଥିଲା। ଏହାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଆମ ଦୋକାନରେ ଚଢାଉ କଲେ ବୋଲି ଅଭିଯୋଗ କରିଛନ୍ତି ମ୍ୟାନେଜର ।

ସବୁଠୁ ବଡ଼ ଆଶ୍ଚର୍ୟ୍ୟର ବିଷୟ ହେଲା ଯେ, ଚଢାଉ ଦିନ ଅବକାରୀ ବିଭାଗ ଅଧିକାରୀଙ୍କ ବ୍ୟବହୃତ ହୋଇଥିବା ଗାଡ଼ି ବିଭାଗୀୟ ଗାଡ଼ି ନଥିଲା । ଏପରିକି ତାହା ଭଡ଼ା ଗାଡ଼ି ନଥିଲା ବୋଲି ଲୋକେ କୁହାକୁହି ହେଉଛନ୍ତି । ସେହି ଗାଡ଼ି କାହାର ବୋଲି ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟବହୃତ ଗାଡି ନମ୍ୱର ଓଆର୧୫ପି ୬୭୨୨ ବିଶିଷ୍ଟ ଗାଡିଟି କାହାର, ତର୍ଜମା କରିବାକୁ ଦାବି ହେଉଛି । ପୁଣି ଚଢ଼ାଉ ସମୟରେ ଭିଡ଼ ଦେଖି କିଛି ସାମ୍ବାଦିକ ଓ ଓକିଲ ମାନେ କ’ଣ ହୋଇଛି ବୋଲି ବୁଝିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ଅଧିକାରୀ ଶ୍ରୀ ବେହେରା ଉତକ୍ଷିପ୍ତ ହୋଇ ସେମାନଙ୍କ ସହ ଯୁକ୍ତି ତର୍କ କରିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ଏବେ ସାଧାରଣରେ ପ୍ରଶ୍ନ ଉଠୁଛି, ସହର ସାରା କୁଚିଆ ଦେଶୀ ଓ ବିଦେଶୀ ମଦ ଦୋକାନ ଭର୍ତ୍ତି ହୋଇଥିବା ବେଳେ ଚାରି ମାସ ଭିତରେ କେତେ ଚଢ଼ାଉ କରିଛନ୍ତି ଅଧିକାରି ? ବିଭାଗୀୟ ଗାଡ଼ି ନ ଆଣି, ଅନ୍ୟ କାହାର ଗାଡ଼ି ଆଣି ଅନ୍ୟ ମଦ ଦୋକାନ ଉପରେ କିପରି ଚଢ଼ାଉ କଲେ ? ମଦ ଦୋକାନ ଲାଇସେନ୍ସ ଥିବା ନଗେନ୍ଦ୍ର ସାହୁଙ୍କୁ ଜିଲ୍ଲା ମୁଖ୍ୟ ଅବକାରୀଙ୍କ ଠାରେ ହାଜର ହେବାକୁ କୁହାଯାଉଥିବା ସୂଚନା ମିଳିଛି । ଗୋଟିଏ ପଟେ ସହର ତଥା ଆଖପାଖ ଅଂଚଳରେ ଅବାଧରେ ଚାଲିଛି ମଦ ଗଞ୍ଜେଇ ଚୋରାଚାଲାଣ, ତାକୁ ନ ଧରି ଅବକାରୀ ଅଧିକାରୀଙ୍କ ପ୍ରତିଶୋଧ ପରାୟଣ ଚଢ଼ାଉ ଉପରେ ସାଧାରଣରେ ଉଠିଛି ପ୍ରଶ୍ନ । ଲାଇସେନ୍ସ ପାଇଥିବା ଦୋକାନରେ ଚଢ଼ାଉ କିନ୍ତୁ ଚୋରାରେ ବିକ୍ରି କରୁଥିବା ଲୋକଙ୍କୁ ଧରାଯିବ କେବେ ? ନକଲି ମଦ ଆଖପାଖ ଅଞ୍ଚଳରୁ ଆସି ଟିଟଲାଗଡ ସହରରେ ଅବାଧରେ ବିକ୍ରି କରୁଥିବା ବାରମ୍ବାର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରିବେ ଅବକାରୀ ଅଧିକାରୀ, ଦେଖିବାକୁ ବାକି ରହିଲା ।

jittmm
Leave A Reply

Your email address will not be published.