– ଶେଷରେ ରାମାୟଣ ମଞ୍ଚସ୍ଥ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତ ଅନ୍ତର୍ଭୁକ୍ତ ଟାକିରିଆ-ବ୍ରହ୍ମପୁରର ମା’ କନକଦୁର୍ଗାଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଯଜ୍ଞାନୁଷ୍ଠାନ ଗତ ୨ତାରିଖରେ ନାମଯଜ୍ଞ, ଘୃତଯଜ୍ଞ, ଉଦ୍ଯାପିତ ହୋଇଯାଇଛି । ଶୁକ୍ରବାର ନଗରକୀର୍ତ୍ତନ ସହ ଫଗୁଖେଳ ହୋଇ ଦଧିଭାଣ୍ଡ ଭଗ୍ନ ପରେ ଯମୁନାକୁ ସ୍ନାନ ହୋଇଥିଲା । ଗ୍ରାମର ଶହସ୍ରାଧିକ ମହିଳା କୁମ୍ଭ, କଳସ, ଘଟ ମସ୍ତକରେ ନେଇ ବିରାଟ ଶୋଭାଯାତ୍ରାରେ ନାନା ବାଦ୍ୟଧ୍ୱନି ମାଧ୍ୟମରେ ଯାଇ ଗ୍ରାମ ପରିକ୍ରମଣ କରି ଗ୍ରାମ ନିକଟ ପୁଷ୍କରିଣୀରେ ବିସର୍ଜନ କରିଥିଲେ । ଶୁକ୍ରବାର ଦିନ ତମାମ ଆନନ୍ଦ ବଜାର ଚାଲିଥିଲା । ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ଆନ୍ନ-ପ୍ରସାଦ ସାରି ଚରମ ଆନନ୍ଦ ଅନୁଭବ କରିଥିଲେ । ଶନିବାର ରାତ୍ରୀକାଳରେ ମନୋରଞ୍ଜନ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରାମାୟଣ ନାଟକ ପରିବେଷଣ ହୋଇଥିଲା । ରବିବାର ସକାଳେ ଏହି ପରିବେଷିତ ଥିଏଟର ରାମାୟଣ ସମ୍ପନ୍ନ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଓ ସପ୍ତାହନ୍ତ ଯଜ୍ଞାନୁଷ୍ଠାନ ପୂର୍ବକ ଆଧ୍ୟାତ୍ମିକ ସାମାରୋହରେ ପ୍ରତିଦିନ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ବିଭୂକୃପା ଲାଭ କରିଥିଲେ । ଯଜ୍ଞ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ଶ୍ରୀରାମଚନ୍ଦ୍ରପୁରର ସମିତି ସଭ୍ୟ ଏସ୍.ଚକ୍ରପାଣି ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଦେବାଦେବୀଙ୍କ ସିଂହାସନ ଆରୋହଣ ପରେ ଦୈନିକ ଅଗଣିତ ଭକ୍ତଙ୍କ ଯୋଗଦାନ ହେଉଛି । ମନ୍ଦିରର ଅଟ୍ଟାଳିକା ଦେଖି ଅଗଣିତ ଭକ୍ତଜନ ଆତ୍ମ-ବିଭୋର ହୋଇ ଉଠୁଛନ୍ତି ।