ବାଲେଶ୍ୱର : ଦେଶ ପାଇଁ ଶୁକ୍ରବାର ଥିଲା ଏକ କଳା ଦିବସ । ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଛି ଚଳିତ ବର୍ଷର ସବୁଠୁ ବଡ଼ ରେଳ ଦୁର୍ଘଟଣା । ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ତିନୋଟି ଟ୍ରେନ୍ । ଦେଖୁ ଦେଖୁ ଦୁର୍ଘଟଣାଜନିତ କର୍କଶ ଛାତିଫଟା ଶବ୍ଦ ସହ କାନ୍ଦରୋଳ ଓ ଚିତ୍କାରରେ ଫାଟି ପଡ଼ିଲା ସାରା ଅଂଚଳ । ଗଦା ହୋଇଗଲା ମରଶରୀର । ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୨୩୩ ଛୁଇଁଥିବା ବେଳେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଚିହ୍ନଟ ହୋଇଥିବା ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି । ସେହିପରି ୯୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି । ଏସ୍ଆରସିଙ୍କ ତଥ୍ୟ ଅନୁସାରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଆହତ ୯୦୦ ଜଣଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି । ଅନ୍ୟପଟେ ଟ୍ରେନ୍ ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କ ଲାଗି ସ୍ଵେଚ୍ଛାକୃତ ରକ୍ତ ଦାନ କରୁଛନ୍ତି ଲୋକେ । ପ୍ରାୟ ୯୦୦ ୟୁନିଟ୍ ରକ୍ତଦାନ ହୋଇ ସାରିଥିବା ଜଣାପଡ଼ିଛି । ସ୍ଵେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଆଗେଇ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଶାସନ ସଚିବ ଧନ୍ୟବାଦ ଜଣାଇଛନ୍ତି ।
ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । କାହିଁକି ଦୁର୍ଘଟଣା ଘଟିଲା, ଦୁର୍ଘଟଣା ପାଇଁ କିଏ ଦାୟୀ, ସେନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦୁର୍ଘଟଣା ସ୍ଥଳକୁ ଆଜି ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ମଧ୍ୟ ସୂଚନା ମିଳିଛି ।