jayashree

ବଢ଼ୁଛି ଜଳସଙ୍କଟ : କୂଅ, ପୋଖରୀ, ନଦୀରେ ନାହିଁ ପାଣି, ଯନ୍ତ୍ରଣା ଭୋଗୁଛନ୍ତି ପଶୁପକ୍ଷୀ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଜଳସଂକଟ ଦେଖାଯାଇଛି । ଖରା ବଢ଼ିବା ସାଙ୍ଗକୁ ନଈନାଳ ସବୁ ଶୁଖି ଯାଇଛି । ଶୁଖିଲା ହୋଇପଡିଛି ଅଙ୍ଗନଦୀ । ଆଗଲପୁର (ଡୁଡୁକା) ବ୍ଲକରେ ୨୦ଟି ଗ୍ରାମ ପଂଚାୟତ ରହିଥିବା ବେଳେ ୧୦୮ଟି ରାଜସ୍ୱ ଗ୍ରାମ ରହିଛି । ଇତି ମଧ୍ୟରେ ୯ଟି ବେଛପରି ଗାଁ ଗଢ଼ିଉଠିଛି । ପ୍ରଚଣ୍ଡ ଖରା ଯୋଗୁଁ ନଈ, କୂଅ, ପୋଖରୀ, ନାଳର ପାଣି ଶୁଖି ଯାଇଥିବାରୁ ସାଧାରଣ ଲୋକେ ପାଣି ପାଇଁ ଡହକବିକଳ ହେଉଥିବା ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଯନ୍ତ୍ରଣା ଭୋଗୁଛନ୍ତି ପଶୁ ପକ୍ଷୀ । ଏମାନଙ୍କୁ ଆହା କରିବାକୁ କେହି ନାହାଁନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାିଛି । ଆଗଲପୁର (ଡୁଡୁକା) ବ୍ଳକ ନଅଗାଁ(କ)ଠାରୁ କୁଟାସିଂହା ଗ୍ରାମ ପର୍ଯ୍ୟନ୍ତ ଲମ୍ବିଛି ଅଙ୍ଗନଦୀ । ନଅଗାଁ(କ), ବାବୁଫାସଡ, ଆଗଲପୁର(ରାଜ), ଫଟାମୁଣ୍ଡା, ମହୁଲପାଲି, ରାମପୁର, ଡୁଡୁକା, ଫାସଡ, ଶୁଶାନ୍ତୀନଗର, ରଫାଖାଲ, ସାଲେଭଟା, ମୁରସୁଣ୍ଢି, ହରଭଙ୍ଗା, ଡୁଙ୍ଗୁରିପାଲି, ତେନ୍ତୁଲିଗାଁ ଓ କୁଟାସିଂହା ଆଦି ଗ୍ରାମର ନଈକୁଳିଆ ଲୋକେ ଏହି ନଦୀ ଉପରେ ବିଶେଷ ଭାବରେ ନିର୍ଭର କରୁଥିଲେ । ବର୍ତ୍ତମାନ ଅଙ୍ଗନଦୀଟିରେ ସଂପୂର୍ଣ୍ଣ ଭାବରେ ପାଣିନଥିବାରୁ ଶୁଖିଲାହୋଇ ପଡିଛି । ଏହା ଉପରେ ନିର୍ଭର କରୁଥିବା ଲୋକେ ପାଣି ପାଇଁ ଡହକବିକଳ ହେଉଥିବା ଦେଖିବାକୁ ମିଳୁଛି । ଏହି ନଦୀରେ ଥିବା ପାନୀୟଜଳ ପ୍ରକଳ୍ପ ଗୁଡିକ ପ୍ରଭାବିତ ହୋଇଛି । ସାଲେଭଟା ଗ୍ରାମର ଗଡ ଭିତର ପଡାକୁ ପାଣି ଆସିପାରୁନାହିଁ । ବକଟି ଗ୍ରାମକୁ ଅଙ୍ଗନଦୀରୁ ପିଇବା ପାଣି ଯୋଗାଇ ଦିଆଯାଉଥିବା ବେଳେ ପାଣି ଯୋଗାଇବାରେ ବାଧାପ୍ରାପ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନଅଗାଁ(କ) ଗ୍ରାମରେ ଥିବା ଓଭର ହେଡ ପାଣିଟାଙ୍କି ନିର୍ମାଣ ହେବା ଦିନରୁ କାମରେ ଆସୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏପରି ପାନୀୟ ଜଳ ସଂଙ୍କଟ ସମୟରେ ପଶୁପକ୍ଷୀମାନେ ପାଣି ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଜଙ୍ଗଲରେ ରହୁଥିବା କଟୁରା, ହରୀଣ ଠେଆ, ବାରାହ ଆଦି ପଶୁପକ୍ଷୀ ପାଣି ଅନ୍ମେଷଣରେ ଜନବସତିକୁ ଚାଲିଆସି ଶିକାରୀଙ୍କ ହାବୁଡରେ ପଡୁଛନ୍ତି । ଏପର୍ଯ୍ୟନ୍ତ ପଶୁପକ୍ଷୀମାନଙ୍କ ପାଇଁ କୈଣସି ସୁବିଧା ସୁଯୋଗ କରାଯାଇ ପାରିନାହିଁ । ଫଳରେ ପଶୁ ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.