oom

ଖପ୍ରାଖୋଲ ବ୍ଲକସ୍ତରୀୟ ଅମଲା ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟ ଅମଲା ମଞ୍ଚର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅମଲା ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଖପ୍ରାଖୋଲ ବ୍ଲକ ପରିସରରେ ଥିବା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅମଲା ମଞ୍ଚର ସଭ୍ୟ ତଥା ପରାମର୍ଶଦାତା ବ୍ରଜବନ୍ଧୁ ଠାକୁରଙ୍କ ପୌରାହିତ୍ୟରେ ଆୟୋଜିତ ଏହି ବୈଠକରେ ଅମଲାମାନଙ୍କ ଦାବୀ ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା ସହିତ ସେମାନଙ୍କ ସମସ୍ୟାର ସମାଧାନ କରିବାରେ ସରକାର ବିମୁଖ ରହୁଥିବା ନେଇ ଅମଲା ମଞ୍ଚ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି । ରାଜ୍ୟ ସରକାର ଅମଲାମାନଙ୍କ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ଏବଂ କମ୍ପ୍ୟୁଟର ଡିପ୍ଲୋମା ଧାର୍ଯ୍ୟ କରିଥିବା ବେଳେ ସେହି ଅନୁଯାୟୀ ସେମାନଙ୍କୁ ୪୨୦୦ ଗ୍ରେଡ଼ ପେ’ରେ ଦରମା ଦେବାପାଇଁ ସଂଘ ଦୀର୍ଘ ଦିନଧରି ଦାବୀ କରି ଆସୁଅଛି । ମାତ୍ର ସରକାର ବିଗତ ଦିନରେ ରାଜ୍ୟ ଅମଲା ମଞ୍ଚ ସହିତ ଆଲୋଚନା କରି ଦାବୀ ପୂରଣ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିବା ବେଳେ ଏବେ ସମୟ ଗଡାଇ ଚାଲିଛନ୍ତି । ତେଣୁ ଦାବୀ ପୂରଣ ନହେଲେ ଆସନ୍ତା ଜୁନ୍‌ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ କରାଯିବ ବୋଲି ଉକ୍ତ ବୈଠକରେ ଆଲୋଚନା ହେବା ସହ ସମସ୍ତ ଅମଲା ମଞ୍ଚର ସଦସ୍ୟମାନଙ୍କୁ ଆନ୍ଦୋଳନରେ ଯୋଗଦେବା ପାଇଁ ଆହ୍ୱାନ କରାଯାଇଥିଲା । ଦାବୀ ପୂରଣ ଦିଗରେ ରାଜ୍ୟ ମିଳିତ ଅମଲା ସଂଘ ଯାହା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ, ତାହାକୁ ଜିଲ୍ଲା ସ୍ତରରେ ଏବଂ ବ୍ଲକ ସ୍ତରରେ ବ୍ୟାପକ କରିବା ପାଇଁ ଉପସ୍ଥିତ ସଭ୍ୟମାନେ ନିଷ୍ପତ୍ତି ନେଇଥିଲେ । ଏହି ବୈଠକରେ ରମାକାନ୍ତ ଭୋଇ, ମାଧବ ସାହୁ, ରବିକାନ୍ତ ଲୁହା, ନିତ୍ୟାନନ୍ଦ ବେହେରା, ଜଗଦୀଶ ବିଶ୍ୱାଳ, ନେତ୍ରାନନ୍ଦ ବେହେରା, ଭୋଳାନାଥ ଷାଣ୍ଢ, ଅକ୍ଷୟ କୁମାର ସାହୁ, ଅଶ୍ୱିନୀ କୁମାର ବାରିକ, ହରିଶ୍ଚନ୍ଦ୍ର ଭୁଏ, କାହ୍ନୁ ଚରଣ ସାହୁ, ଡିଲେଶ୍ୱର ମେହେର, ମହେଶ୍ୱର ବଗର୍ତ୍ତୀ, ଯାଜ୍ଞସିନୀ ନାଗ, ରଞ୍ଜନ ଥନାପତିଙ୍କ ସମେତ ଖପ୍ରାଖୋଲ ବ୍ଲକର ସମସ୍ତ ବିଭାଗର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.