ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ପ୍ରେମଶୀଲା ପ୍ୟାଲେସରେ ଜିଲ୍ଲା ସଭାପତି ଗୋବିନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ବରଗଡ଼ ଜିଲ୍ଲା ସରପଞ୍ଚ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବରଗଡ଼ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ମନ୍ତ୍ରୀ, ବିଧାୟକ, ବିଧାୟିକା ଏବଂ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିମନ୍ତ୍ରିତ କରାଯାଇଥିଲା । ଆଜିକୁ ପ୍ରାୟ ଦେଢ଼ ବର୍ଷ ହେବ ସରପଞ୍ଚମାନେ କୌଣସି ପ୍ରକାର କାମ କରି ପାରୁନାହାନ୍ତି । ତେଣୁ ୧୨ ଦଫା ଏକ ଦାବୀପତ୍ର ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମସ୍ତ ନେତା ମନ୍ତ୍ରୀଙ୍କ ଉପସ୍ଥିତରେ ଜିଲ୍ଲାପାଳଙ୍କୁ ଦେବା ପାଇଁ ଯୋଜନା କରାଯାଇଥିବା ବେଳେ ଜିଲ୍ଲାର କୌଣସି ମନ୍ତ୍ରୀ, ବିଧାୟକ, ବିଧାୟିକା, ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ସଭାକୁ ନ ପହଞ୍ଚିବାରୁ ସରପଞ୍ଚମାନେ କ୍ଷୋଭ ପ୍ରକାଶ କରିଥିଲେ । ସରପଞ୍ଚମାନଙ୍କୁ ଯେଉଁ ଭଳି ଭାବରେ ଅଣଦେଖା କରାଗଲା ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶାରେ ଜନସାଧାରଣ କି ଭଳି ଅସୁବିଧାର ସମ୍ମୁଖୀନ ହେଉଥିବେ । ଲୋକଙ୍କ ସମସ୍ୟା ପାଇଁ ସରପଞ୍ଚ ସଂଙ୍ଘ ଆଗାମୀ ଦିନରେ ମୁଖ୍ୟ ମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ସିଧା ସଳଖ ଏହି ଦାବୀପତ୍ର ଦେବା ସହିତ ବରଗଡ଼ ଜିଲ୍ଲାର ନେତା ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନର ଏଭଳି କାମ ପାଇଁ ସରପଞ୍ଚ ସଂଘ ଦୃଢ଼ ନିନ୍ଦା କରିଥିଲେ । ଉକ୍ତ ଦାବୀପତ୍ରରେ ପ୍ରାଥମିକ ସ୍କୁଲ ଗୁଡ଼ିକ ଅତି ଦୟନୀୟ ପରିସ୍ଥିତି ହୋଇ ପଡ଼ିଥିବାରୁ ମରାମତି ଏବଂ ନୂତନ ଶ୍ରେଣୀ କୋଠରୀ କିପରି ହୋଇ ପାରିବ, ପୁରୁଣା ପୋଖରୀ ଗୁଡ଼ିକୁ କିଭଳି ପୁନଃ ଉଦ୍ଧାର କରାଯିବ, ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ପାନୀୟଜଳ ପାଇଁ ନୂତନ ନଳକୂପ ଖନନ କରାଯାଇ ପାରିବ, ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତାରୁ ବଞ୍ଚିତ ଥିବା ଲୋକଙ୍କୁ କେମିତି ସାମିଲ କରାଯିବ । ଏକାଉଣ୍ଟରେ ଭତ୍ତା ଟଙ୍କା ପଡୁଥିବାରୁ ନାହିଁ ନଥିବା ସମସ୍ୟା ଭୋଗୁଥିବା ହିତାଧିକାରୀ କେମିତି ଠିକ୍ ଭାବରେ ଟଙ୍କା ପାଇ ପାରିବେ, ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗାରେ ୬୦% ପ୍ରତିଶତ ଶ୍ରମିକ ୪୦% ପ୍ରତିଶତ ସାମଗ୍ରୀ ହିସାବରେ ଅନୁମୋଦନ, ସରପଞ୍ଚମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପାଣ୍ଠି, ସରପଞ୍ଚମାନଙ୍କ ଦରମା ବୃଦ୍ଧି, ଜିଲ୍ଲାର ଅନେକ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ପଦବୀ ଖାଲିଥିବାରୁ । କୌଣସି କାର୍ଯ୍ୟ ଠିକ୍ ଭାବରେ ହେଉ ନ ଥିବା ପାଇଁ ଲୋକମାନଙ୍କ କୌଣସି ସମସ୍ୟାର ସମାଧାନ ହେଉନାହିଁ । ତେଣୁ ଏ ସବୁ ସମସ୍ୟା ବିଷୟରେ ଉକ୍ତ ଦାବୀପତ୍ର ମାଧ୍ୟମରେ ଏହାର ସମାଧାନ ହେବାର ଆଶା କରିଥବା ସରପଞ୍ଚ ମାନେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବା ପାଇଁ ସଂଘ ନିଷ୍ପତି ନେଇଛି । ପରିଶେଷରେ ସମ୍ପାଦକ ଆନନ୍ଦ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।