oom

ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ ଚଳିତ ମାସ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ଏକ ସ୍ଵତନ୍ତ୍ର ଅଭିଯାନ ଚଳିତ ମାସ ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅଭିଯାନ ପାଇଁ ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଜିଲ୍ଲାରେ ଥିବା ଦିବ୍ୟାଙ୍ଗମାନେ କିପରି ସେମାନଙ୍କର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ନହେବେ ତଥା ସେମାନଙ୍କ ପାଇଁ ଥିବା ସରକାରୀ ସୁବିଧା ସୁଯୋଗ ପାଇପାରିବେ ସେ ନେଇ ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ମତ ରଖିଥିଲେ । ଏହି ବୈଠକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସହକାରୀ ଜିଲ୍ଲାପାଳ(ନ୍ୟାୟିକ), ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଥା ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଦିବ୍ୟାଙ୍ଗମାନେ ଏହି ଅଭିଯାନର ସୁଯୋଗ ନେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତାଲୁକ ଆଇନ ସେବା ପ୍ରାଧିକରଣ, ସାମାଜିକ ସୁରକ୍ଷା ବିଭାଗ, ପାରାଲିଗାଲ ସ୍ଵେଚ୍ଛାସେବୀମାନଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପ୍ରକାଶ କରିଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ ନିମନ୍ତେ ଜିଲ୍ଲାରେ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ପାରାଲିଗାଲ ସ୍ଵେଚ୍ଛାସେବୀମାନଙ୍କ ସହାୟତା ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏ ସମ୍ପର୍କରେ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ସୁଚିତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲାରେ ଏହି ଅଭିଯାନ ଯେପରି ସୁଚାରୁରୂପେ ସମ୍ପାଦିତ ହେବ ସେଥିପ୍ରତି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁରୋଧ କରିଥିଲେ । ସରକାରୀ ସହାୟତା ତଥା ଆଇନ ସେବା ପ୍ରାଧିକରଣ ତରଫରୁ ଦିବ୍ୟାଙ୍ଗମାନଙ୍କ ପାଇଁ ଯୋଗାଇଦିଆଯାଉଥିବା ସହାୟତା ସମ୍ପର୍କରେ ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କିମ୍ବା ତାଲୁକ ଆଇନ ସେବା ପ୍ରାଧିକରଣ ସହ ତୁରନ୍ତ ଯୋଗାଯୋଗ କରିବା ନିମନ୍ତେ ଅନୁରୋଧ କରାଯାଉଛି ।

jittmm
Leave A Reply

Your email address will not be published.