ଭୀମପାହାଡ ମହୋତ୍ସବର ତୃତୀୟ ସଂଧ୍ୟା

  • କଳା, ସଂସ୍କୃତିକୁ ଉଜ୍ଜୀବିତ କରି ମହୋତ୍ସବ ଭୀମ ଡୁଙ୍ଗୁରୀକୁ ପରିଚୟ ଦେଇଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଚାଲିଥିବା ୯ମ ଭୀମପାହାଡ ମହୋତ୍ସବର ତୃତୀୟ ସଂଧ୍ୟାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭୀମପାହାଡ ମହୋତ୍ସବ ଏହି ଅଞ୍ଚଳର କଳା, ସଂସ୍କୃତିକୁ ଉଜ୍ଜୀବିତ କରିବା ସହିତ ଭୀମଡୁଙ୍ଗୁରୀକୁ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ଆବାହକତ୍ୱ ଓ ସଂଦୀପ କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସଂସ୍କୃତି ଗବେଷକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ବବିତା ସିଂ ପ୍ରମୁଖ ଯୋଗ ଦେଇଥିଲେ । ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଶୈଳେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝି ମଧ୍ୟ ଉପସ୍ଥିତ ରହିଥିଲେ । ବିଶିଷ୍ଟ କଳାକାର ରବୀନ୍ଦ୍ର ସାହୁ ଓ ସାଥୀଙ୍କ ଦ୍ୱାରା ରାବଣ ଦରବାର ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ ସଂଯୋଜକ ବାସୁଦେବ ସା’ଙ୍କ ପରିଚାଳନାରେ ସମ୍ବଲପୁର ରାଜବସାର ରାଜାରାଣୀ ଆଦିବାସୀ ନୃତ୍ୟ, ସଇଁତଳା କୁମ୍ଭାରୀର ଡକାନୃତ୍ୟ, ବଲାଙ୍ଗିରର କୋସଳଫୋକ ଏକାଡେମୀ କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ପରିବେଶିତ ହୋଇ ଦର୍ଶକଙ୍କ ମନ ମୋହିଥିଲା । ଏହି ଅବସରରେ ଦେଓଗାଁର ବିଶିଷ୍ଟ ଦଣ୍ଡକଳାକାର ବଳଭଦ୍ର ସାହୁ, କେଟେନପାଲିର ସଂକୀର୍ତ୍ତନ୍ୟ ଦଳ ଓ ବିଲେଇକାନୀର ସଂକୀର୍ତ୍ତନ୍ୟ ଦଳକୁ ଭୀମପାହାଡ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.