jayashree

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଅସହାୟ ହୋଇଛନ୍ତି ତିନି ପୁଅର ମା’

ନୂଆପଡା, (ନିରାକାର ମେହେର) : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବଡ଼ପୁଅ ମାନସିକ ରୋଗୀ ହୋଇଥିବା ବେଳେ ମଝିଆଁ ପୁଅକୁ ବ୍ରେନ ଟ୍ୟୁମର । ମୁଠାଏ ଖାଇ ଦଣ୍ଡେ ଜିଉଁଛନ୍ତି ଚାରି ପ୍ରାଣୀ କୁଟୁମ୍ବ । ସାହା ହେବାକୁ କେହିନାହିଁ । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମ ପଞ୍ଚାୟତର ଚଉଁରା ଗ୍ରାମର କପୁର ବନଛୋର । ବୟସର ଅପରାହ୍ଣରେ ଠିଆ ହୋଇଥିବା ଏହି ମହିଳାଙ୍କ ଦୁଃଖ କହିଲେ ନସରେ । ତିନି ତିନିଟି ପୁଅର ମା’ ହୋଇ ମଧ୍ୟ ସେ ଆଜି ଅସହାୟ । କାରଣ ତାଙ୍କର ବଡ଼ ପୁଅ ମାନସିକ ରୋଗୀ ହୋଇଥିବା ବେଳେ ମଝିଆଁ ପୁଅକୁ ବ୍ରେନ ଟ୍ୟୁମର । ସାନ ପୁଅ ଦାଦନ ଖଟି ଗଲେ ପରିବାର ଚଳେ । ୨୦ ବର୍ଷ ତଳେ ସ୍ୱାମୀ ଦନାର ବନଛୋରଙ୍କ ମୃତ୍ୟୁ ଘଟିଥିଲା । ଦନାର ମଖାପଦର ଗ୍ରାମ ପଞ୍ଚାୟତରେ ପିଅନ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁ ପରେ କପୁରଙ୍କୁ ସେହି ପଞ୍ଚାୟତରେ ସ୍ୱିପର ପଦବୀରେ ରଖାଯାଇଛି । ଦରମା ମାସକୁ ମାତ୍ର ସାଢ଼େ ଚାରିଶହ ଟଙ୍କା । ତାହା ପୁଣି ଦୁଇ ତିନି ବର୍ଷରେ ଥରେ ମିଳେ । ମାସିକ ମିଳୁଥିବା ବିଧବା ଭତ୍ତା ଓ ୨୦ କିଲୋଗ୍ରାମ ରାସନ ହିଁ ଜୀବନ ଜିଇଁବାର ଏକମାତ୍ର ଭରସା । ଏଣୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.