କରକଚିଆ ଛକ ନିକଟରେ ବୋଲେରୋ ଦୁର୍ଘଟଣାରେ ୩ ମୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା କରକଚିଆ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବାଇକକୁ ବୋଲେରୋ ଧକ୍କା ଦେବା ଯୋଗୁଁ ବାଇକରେ ଥିବା ତିନିଜଣ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ କୁଶଙ୍ଗ ଗ୍ରାମର ସୁରଞ୍ଜନ ପଟେଲ, ସଦେଇପାଲିର ତୁଳସିରାମ ପଟେଲ ଓ ରୋତ ଗ୍ରାମର ରାଜେଶ ପଟେଲ । ରାଜେଶ ଓ ତୁଳସୀରାମ ସମ୍ପର୍କରେ ଶଳା-ଭିଣେଇ ହେବେ । ସୂଚନା ଅନୁସାରେ ତିନିଜଣ ଏକ ବାଇକରେ ରୋତରୁ ବଲାଙ୍ଗିର ପଟକୁ ଆସୁଥିଲେ । ତେବେ କରକଚିଆ ଛକଠାରେ ଏକ ବୋଲେରୋ ସହିତ ବାଇକର ଧକ୍କା ହେବା ପରେ ତିନିଜଣ ଛିଟିକି ପଡ଼ି ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଖବର ପାଇ ସ୍ଥାନୀୟ ତ୍ରିବେଣୀ ସ୍ୱୟଂ ସହାୟକ ଦଳର ସଦସ୍ୟ ମାନେ ଗୁରୁତର ୩ ଜଣଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ବୋଲେରୋ ଓ ଡ୍ରାଇଭରକୁ ଲୋକେ ପୋଲିସରେ ଜିମା ଦେଇଥିବା ବେଳେ ତିନି ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠା ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.