- ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଦାବୀରି ଗାଁର ଉଭୟେ ସ୍ୱାମୀ ସ୍ତ୍ରୀ ଗୋଟିଏ ଦିନରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଦାବିରୀ ଗାଁର ଗୋଧନ ମଲ୍ଲିକ(୪୫) ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରକଳା ମଲ୍ଲିକ(୪୦) ଉଭୟେ ରବିବାର ରାତିରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗୋଧନ ମଲ୍ଲିକ ୫/୬ ବର୍ଷ ତଳେ ବେଲପଡା ଥାନା ଫୁଲକାନି ଗାଁର ସାବିତ୍ରୀଙ୍କୁ ବିବାହ କରିଥିଲେ । ତାଙ୍କ ମୃତ୍ୟୁ ପରେ ଚନ୍ଦ୍ରକଳା ମଲ୍ଲିକଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଚନ୍ଦ୍ରକଳା ସିକ୍ଲିନ (ରକ୍ତହୀନତା) ରୋଗରେ ଦୀର୍ଘ ବର୍ଷରୁ ରୋଗାକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଗୋଧନ ଜଣେ ଦିନ ମଜୁରୀଆ ଏବଂ ପଥର ଖୋଦାନରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଭରଣ ପୋଷଣ କରି ଆସୁଥିଲେ । ସ୍ତ୍ରୀ ଚନ୍ଦ୍ରକଳାଙ୍କ ଚିକିତ୍ସା ପାଇଁ ଅନେକ ବର୍ଷ ହେଲା ସଂଘର୍ଷ କରି ଆସୁଥିବା ବେଳେ ଅର୍ଥ ବାଧକ ସାଜୁ ଥିବାରୁ ସ୍ତ୍ରୀ ମଧ୍ୟ ମ୍ରିୟମାଣ ହୋଇ ରବିବାର ରାତିରେ ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଗୋଧନ ଗାଁଠାରୁ ୨/୩ କି.ମି. ଦୂର ଟାଣପଡା ନିକଟରେ ଥିବା ପୁସ୍ତମ ମଲ୍ଲିକଙ୍କ ଚାଷ ଜମିରେ ଥିବା ଏକ ଗଛରେ ଗୋଧନ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏହି ଘଟଣା ବିଷୟରେ କଂଟାବାଂଜି ପୋଲିସ ଜାଣିବା ପରେ ଘଟଣାସ୍ଥଳକୁ ଯାଇ ଅଧିକ ଅନୁସଂଧାନ କରିବା ସହିତ ଘଟଣା ଉପରେ ଜମି ମାଲିକ ପୁସ୍ତମ ମଲ୍ଲିକ ଏକ ଲିଖିତ ଅଭିଯୋଗ ଘଟଣାସ୍ଥଳରେ ଉପସ୍ଥିତ ଥିବା ଥାନାଧିକାରୀ ଶ୍ରୀମତୀ ରଶ୍ମିତା ବେହେରାଙ୍କୁ ଦେଇଛନ୍ତି ।