ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର : ୧୫ ତାରିଖରେ ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲା ଲାଲ୍ ବାହିନୀ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଲାଲ୍ ବ୍ୟାନର ଓ ପୋଷ୍ଟର ମାଓ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ବେଳେ କୋଟଗଡ଼ ଥାନା ବଣ୍ଡାପିପିଲି ରାଜ୍ୟ ରାଜପଥ କଡ଼ରେ ମଧ୍ୟ ମାଓ ସଙ୍ଗଠନର ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ୫୯ନଂ ଜାତୀୟ ରାଜପଥର ସିମନବାଡ଼ି ଟୋଲଗେଟ ନିକଟ ଓ ବୁଡ଼ାଗୁଡ଼ା ଛକ ଏବଂ ବଣ୍ଡାପିପିଲି ଗାଁ ରାସ୍ତା କଡ଼ରେ ୧୨ ଦଫା ଦାବୀ ନେଇ ମେ’ ୧୫ ତାରିଖରେ ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ । ୭ ଜିଲ୍ଲା ମଧ୍ୟରେ କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ । ଦୁଇଦିନ ତଳେ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଘରୁ ଡାକିନେଇ ଗୁଳିକରି ହତ୍ୟା କରିଥିଲେ । ଶନିବାର ରାଜ୍ୟ ପୋଲିସ ମହାନିଦ୍ଦେଶକ ସୁନୀଲ ବଂଶଲଙ୍କ ସହିତ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଆଇଜି ଭୋଇ, ସିଆରପିଏଫ କମାଣ୍ଡେଣ୍ଟ ସଂଜୀବ କୁମାର, ବିଏସଏଫ ଆଇଜି ଦୀନେଶ କୁମାର ଶର୍ମାଙ୍କ ଭଳି ରାଜ୍ୟର ୫ ବରିଷ୍ଠ ପୋଲିସ ଅଧିକାରୀ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ସିଆରପିଏଫ ଓ ବିଏସଏଫ କ୍ୟାମ୍ପ ବୁଲିବା ସହ ମାଓବାଦୀଙ୍କ ଗତିବିଧିର ସମୀକ୍ଷା କରି ଫେରିଥିବା ବେଳେ ରବିବାର ଦାରିଙ୍ଗବାଡ଼ି ଓ କୋଟଗଡ ଥାନା ଅଞ୍ଚଳରେ ବ୍ୟାନର୍ ପୋଷ୍ଟର ଜାରି କରି ନିଜର ଉପସ୍ଥିତି ଜାହିର କରିବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଅନ୍ୟପକ୍ଷରେ କିଛି ବର୍ଷ ହେବ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଜଣାପଡ଼ୁନଥିବା ବେଳେ ବର୍ତ୍ତମାନ ପୁଣି ଥରେ ଅଞ୍ଚଳରେ ମାଓବାଦୀଙ୍କ ବ୍ୟାନର ପୋଷ୍ଟର ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.