
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରୁ ପ୍ରକାଶିତ ଓଡିଆ ସାପ୍ତାହିକ ଖବର କାଗଜ ଜନ ସମ୍ବାଦର ୧୪ତମ ସ୍ଵନକ୍ଷତ୍ର ସମାରୋହ -୨୦୨୩ ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି । ଖବର କାଗଜର ସଂପାଦକ ସଚିତା ନନ୍ଦ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅତିଥି ଭାବେ ତୁଷୁରା ଏନ୍.ଏ.ସି ଅଧ୍ୟକ୍ଷ ଅଜୟ ଜୟସ୍ୱାଲ, ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ବଲାଙ୍ଗିର ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଜନ ସମ୍ବାଦ ନିର୍ଭୀକତାର ସହ ଗ୍ରାମାଞ୍ଚଳର ସମସ୍ୟା ଗୁଡିକୁ ପ୍ରକାଶିତ କରିବା ଦିଗରେ ପ୍ରୟାସ ଜାରି ରଖିଛି । ସ୍ଵଳ୍ପ ସମ୍ବଳ ମାଧ୍ୟମରେ ନିୟମିତ ଭାବେ ଖବର କାଗଜକୁ ପ୍ରକାଶିତ କରୁଥିବାରୁ ଅତିଥିମାନେ ସଂପାଦକଙ୍କୁ ସାଧୁବାଦ ଜଣାଇବା ସହ ଖବର କାଗଜର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ବଲାଙ୍ଗିର ସଦର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ନବ ନିର୍ବାଚିତ ଜିଲ୍ଲା ସମିତି ସଭ୍ୟ ସଂଘର ସଭାପତି ଗୋଲାପ ବାଗଙ୍କୁ ଜନ ସମ୍ବାଦ ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା କାର୍ଯ୍ୟ ପୂର୍ବରୁ ଜନ ସମ୍ବାଦର ସ୍ୱନକ୍ଷତ୍ର ସଂଖ୍ୟାକୁ ଅତିଥି ମାନେ ଉନ୍ମୋଚିତ କରିଥିଲେ । ବରିଷ୍ଠ ସାମ୍ବାଦିକ ନବୀନ କୁମାର ପଶାୟତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାକୁ ସାମ୍ବାଦିକ ସନ୍ଦୀପ କୁମାର କୁଅର ସଂଯୋଜନା କରିଥିଲେ ।