pakka

ମା’

bbehera
  • ଶ୍ରାବଣୀ ବିଶ୍ୱାଲ

ମା’ ଯୁଗେ ଯୁଗେ ପୂଜନୀୟା । ଭଗବାନ ସବୁଠାରେ ରହି ପାରିବେ ନାହିଁ ତେଣୁ ମା’ ସୃଷ୍ଟି କଲେ । ମା’ଠାରୁ ଛୋଟ ଶବ୍ଦ ଦୁନିଆରେ ନାହିଁ ଏବଂ ମା’ର ଅର୍ଥ ଠାରୁ ବଡ ଅର୍ଥ ଦୁନିଆରେ ନାହିଁ । ମା’ଠାରୁ ମଧୁର ଶବ୍ଦ ଦୁନିଆରେ ନାହିଁ । ତା’ ପଣତ ଘୋଡେଇ ଦେଲେ ସଂସାରର ସବୁ ଦୁଃଖ, କଷ୍ଟ, ଚିନ୍ତା ସବୁ ଦୂର ହୋଇଯାଏ । ଗୋଟେ ମଣିଷ ପାଇଁ ନିଜ ମା’ର କୋଳ ଏବଂ ତା’ର ପଣତଠାରୁ ସୁରକ୍ଷିତ ଜାଗା ଏହି ଦୁନିଆରେ ନାହିଁ । ମା’ ହେଉଛି ସେହି ଏକା ଜଣେ ମଣିଷ ଯାହା କୋଳରେ ଜନ୍ମ ନେଇ ଆମେ ଏହି ଦୁନିଆକୁ ତଥା ଭୂପୃଷ୍ଟକୁ ଆସିଥାଉ । ସେହି ଜଣେ ମଣିଷ ଯିଏ ଆମକୁ ବିନା ସ୍ୱାର୍ଥରେ ଭଲ ପାଇବା ଦେଇଥାଏ । ସଦା ସର୍ବଦା ଆମ ଭଲ ଚିନ୍ତା କରୁଥାଏ । ଆମର ଉତ୍ତରୋତ୍ତର କାମନା କରୁଥାଏ । ନିଜ ପାଇଁ କିଛି ଭଗବାନଙ୍କଠାରୁ ନ ମାଗି ପ୍ରଥମେ ନିଜ ଛୁଆ ପାଇଁ ମାଗିଥାଏ । ସତରେ, ଦୁନିଆରେ ମା’ର ସ୍ଥାନ କେହି ନେଇ ପାରିବେ ନାହିଁ । ଘରକୁ ଫେରିଲେ ମା’ ଏକା ଜଣେ ମଣିଷ ଯିଏ ନିଜ ପଣତ କାନିରେ ପୋଛି ଦେଇ ପ୍ରଥମେ ଖାଇଛୁ କି ନାହିଁ ବୋଲି ପଚାରିଥାଏ । ନିଜେ ନଖାଇ ପ୍ରଥମେ ନିଜ ଛୁଆକୁ ଖୁଆଇଥାଏ । ସବୁ ଅଳି ଅଝଟ ସହି ନିଜ ଛୁଆର ମନ ପସନ୍ଦ ଖାଇବା ତିଆରି କରି ସବୁ ବେଳେ ତାକୁ ଖୁସିରେ ରଖିଥାଏ ।

ଆଜି ମାତୃ ଦିବସ । ଆଜି ହେଉଛି ସେହି ମା’ର ଦିନ । ମା’ର ହୃଦୟକୁ ବୁଝିବାର ଅବସର । ଏହି ଦିନ ଆମ ହୃଦୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରଖିଥାଏ କାରଣ ଏହା ଆମ ମାଆମାନଙ୍କ ପାଇଁ ଆମର କୃତଜ୍ଞତା, ପ୍ରେମ ଏବଂ ପ୍ରଶଂସା ଜଣାଇବାକୁ ଏକ ସୁଯୋଗ ଦେଇଥାଏ । ସାରା ବିଶ୍ୱରେ ମାତୃ ଦିବସ ପାଳନ ହେଉଛି । ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନ ହେଉଛି ମା’ମାନଙ୍କର ନିସର୍ତ୍ତ ପ୍ରେମ, ଯତ୍ନ ଏବଂ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଏବଂ ସମ୍ମାନ ଦେଖାଇବା । ଆମ ଜୀବନକୁ ଗଢିବାରେ ମା’ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିବା ଏବଂ ସେମାନଙ୍କର ଅଦମ୍ୟ ସମର୍ଥନ ଏବଂ ଉତ୍ସାହ ପାଇଁ ଆମର କୃତଜ୍ଞତା ଜଣାଇବାର ସମୟ । ଲୋକମାନେ ମାତୃ ଦିବସକୁ ଅନେକ ଉପାୟରେ ପାଳନ କରନ୍ତି ଯେପରିକି ଫୁଲ ଏବଂ ଉପହାର ଦେବା, ମା’ ପାଇଁ କୌଣସି ଏକ ବିଶେଷ ଖାଦ୍ୟ ପ୍ରସ୍ତୁତ କରିବା କିମ୍ବା ମା’ଙ୍କୁ ବାହାରକୁ ବୁଲେଇ ନେବା । ଏହିଦିନ ଆମ ମା’ମାନଙ୍କୁ ଜଣାଇବାର ଦିନ ଯେ ସେମାନେ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ଆମ ଜୀବନରେ ସେମାନଙ୍କ ଉପସ୍ଥିତି କେତେ ଜରୁରୀ ।

ମା’ ବିନା ଆମର ସ୍ଥାୟୀତ୍ୱ ନାହିଁ । ମା’ ହେଉଛି ଦୁନିଆର ବଡ ମହାଜନ । ଯାହାର ଋଣ କେହି କେବେ ସୁଝି ପାରିଛି ତାହା କେବେ କେହି ଜାଣି ନାହାନ୍ତି । ଦୁନିଆର ସମସ୍ତଙ୍କ ଋଣ ଆମେ ସୁଝି ପାରିବା । କିନ୍ତୁ ମା’ର ଋଣ କେବେ ସୁଝି ପାରିବା ନାହିଁ । କେଜାଣି କେମିତି ତାକୁ ନ କହିଲେ ମଧ୍ୟ ସେ ନିଜ ଛୁଆର ମନର କଥା ଜାଣିପାରି ତାର ମନ ପସନ୍ଦର ସବୁ ଜିନିଷ ଆଣି ତା’ ପାଖରେ ଥୋଇ ଦିଏ ।

ସବୁ ବିପଦରେ ଯିଏ ସାହା ସେ ହେଉଛି ମା’ । ସବୁ ବିପଦରୁ ରକ୍ଷା କରିବାର ଶକ୍ତି ଯାହା ପାଖରେ ଥାଏ ସେ ହେଲା ମା’ । ଯେତେ ଝଡ ଝଞ୍ଜା ଆସୁପଛେ ନିଜ ସନ୍ତାନମାନଙ୍କୁ ପଣତକାନି ତଳେ ଢାଲ କରି ରଖିବାର ଅଦମ୍ୟ ଶକ୍ତି ଥାଏ ତା’ ପାଖରେ । ସେଥିପାଇଁ ତ କୁହାଯାଏ, ସବୁ ବିପଦରେ ଈଶ୍ୱର ଆସି ପହଞ୍ଚିିପାରିବେ ନାହିଁ, ସେଥିପାଇଁ ସମସ୍ତଙ୍କ ପାଖରେ ମା’ ଦେଇଛନ୍ତି ।

ଦୁନିଆରେ ଆମର ଯେତେ ସମ୍ପର୍କ ଅଛି ସବୁ ସମ୍ପର୍କରେ ପ୍ରେମ, ଶ୍ରଦ୍ଧା, ସ୍ନେହ ଭରି ରହିଛି କିନ୍ତୁ ସର୍ବୋଚ୍ଚରେ ରହିଛି ଆମ ମା’ର ପ୍ରେମ । ଆମେ ଯେତେବେଳେ ଛୋଟ ବିନ୍ଦୁ ପରି ଥାଉ ସେତେବେଳୁ ସେ ଆମକୁ ଭଲ ପାଇଥାଏ । ସବୁ ସମ୍ପର୍କରେ ଯଦି ଆମେ ଦେଖିବା ତା’ ହେଲେ ଆମ ମା’ର ପ୍ରେମ ୧୦ ମାସ ଅଧିକ ହେବ ।

ମା’ର ସଦ୍ୟ ପ୍ରେମ ସର୍ବଦା ସନ୍ତାନ ଉପରେ ଅତୁଟ ହୋଇ ରହି ଆସିଛି । ମାତୃଶକ୍ତି ପୃଥିବୀର ସବୁ ଶକ୍ତିଠାରୁ ବଳିୟାନ । ସବୁ ମା’ଙ୍କ ପାଦ ତଳେ କୋଟି କୋଟି ନମସ୍କାର ।

Leave A Reply

Your email address will not be published.

4 × one =