ସଇଁତଲା ପଞ୍ଚାୟତ ସମିତି ବୈଠକ : ସିଡିପି ଦୁର୍ନୀତିକୁ ନେଇ ଝଡ଼, ପାନୀୟ ଜଳ ଯୋଗାଣ ଓ ବିଦ୍ୟାଳୟ ରକ୍ଷଣାବେକ୍ଷଣକୁ ନେଇ ଉଦ୍‌ବେଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭରୁ ସରପଞ୍ଚ ଓ ସମିତି ସଭ୍ୟମାନେ କୃଷି ବିଭାଗ ଉପରେ ବର୍ଷୀଥିଲେ । ଗତ ଖରିପ ଋତୁରେ (ସିଡିପି) କ୍ରପ ଡ୍ରାଇଭର୍ସନ ପ୍ରୋଗ୍ରାମ ଯୋଜନାରେ ଚାଷୀଙ୍କ ସହାୟତା ରାଶି ବଣ୍ଟନରେ ବ୍ୟାପକ ଅନିୟମିତତା ହେବା ସହ ଚାଷୀମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଦଲାଲମାନେ ବେଆଇନ ଟଙ୍କା ଆଦାୟକୁ ନେଇ ଶିଶକେଲା ସମିତି ସଭ୍ୟ ଉମାକାନ୍ତ ରଣା ଦାବୀ ଉପସ୍ଥାପନ କରିବା ପରେ ହୋ ହାଲ୍ଲା ହୋଇଥିଲା । ଏଥିରେ ବେଲଗାଁ ସରପଞ୍ଚ ଚାଷୀମାନଙ୍କ ଟଙ୍କା ଦଲାଲମାନଙ୍କ ଠାରୁ ୪-୫ ଲକ୍ଷ ଟଙ୍କା ମଗାଇ ଦେଇଥିବା ନେଇ ସାଂସଦ ପ୍ରତିନିଧି ଅକ୍ଷୟ ରଣା ପ୍ରକାଶ କରିଥିଲେ । ଆଗାମୀ ଦିନରେ ସାଂସଦଙ୍କୁ କହି କୃଷି ଅଧିକାରୀଙ୍କୁ ବଦଳି କରିବା ପାଇଁ ଦାବୀ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଅନ୍ୟପଟେ କୃଷି ବିଭାଗ ଅଧିକାରୀଙ୍କୁ ନେଇ ବାରମ୍ବାର ଅଭିଯୋଗ ହୋଇଥିବା ବିଷୟରେ ସ୍ଥାନୀୟ ମନ୍ତ୍ରୀଙ୍କୁ ଜଣାଇବା ପରେ ବଲାଙ୍ଗିର ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ ମଧ୍ୟ ସୂଚନା ଦେଇଥିଲେ । ଏହା ସହିତ କୃଷି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ ଆତ୍ମା କମିଟିର ଅଧ୍ୟକ୍ଷଙ୍କୁ ଅଣଦେଖା କରାଯାଉଥିବା ନେଇ ସରପଞ୍ଚ ଗଜପତି ସାହୁ, ମନୀଷ ସୁନା, ଅଶୋକ ସାହୁ ଓ ସମିତି ସଭ୍ୟା ସରୋଜିନୀ ବିଭାର ଅଭିଯୋଗ କରିଛନ୍ତି । ଏଣୁ ବ୍ଲକ କୃଷି ଅଧିକାରୀଙ୍କୁ ବଦଳି କରିବାକୁ ସରପଞ୍ଚ ଓ ସମିତି ସଭ୍ୟମାନେ ପ୍ରସ୍ତାବ ଆଗତ କରିଥିଲେ । ଏପରିକି ଚାଷ ସମୟରେ ସାର, ଧାନ ବିହନ ଯୋଗାଇବା ସହ କୃଷି ବିଭାଗ କର୍ମଚାରୀମାନେ ଗାଁ ଗାଁକୁ ଯାଆନ୍ତୁ ବୋଲି ସରପଞ୍ଚମାନେ ଦାବୀ କରିଥିଲେ । ସେହିପରି ସଇଁତଲା ମେଡିକାଲରେ ଡାକ୍ତର ଅଭାବ ଦେଖାଦେଇଛି ଓ ରୋଗୀମାନେ ହଇରାଣ ହରକତ ହେଉଥିବା ସରପଞ୍ଚ ଅଶୋକ ସାହୁ ଅଭିଯୋଗ କରିଥିଲେ । ଧରବଗଡ଼ ପଞ୍ଚାୟତରେ ମେଡିକାଲ ସିଏଚଓ ରହୁ ନାହାନ୍ତି ବୋଲି ସମିତି ସଭ୍ୟ ରାକେଶ ନାୟକ ଅଭିଯୋଗ କରିଛନ୍ତି । ଏହି ମେଡିକାଲରେ ଶିଶୁ ବିଶେଷଜ୍ଞ ଡାକ୍ତର ନ ଥିବା ଶିଶୁ ରୋଗୀମାନେ ବଲାଙ୍ଗିର ଓ ଟିଟିଲାଗଡ଼ ଯାଇ ହଇରାଣ ହରକତ ହେଉଛନି । ତେଣୁ ଏକ ଶିଶୁ ଡାକ୍ତର ଯୋଗାଇ ଦେବା ପାଇଁ ସରପଞ୍ଚ ରାମଚନ୍ଦ୍ର ବେହେରା ଦାବୀ କରିଥିଲେ । ସେହିପରି ରେଲୱେ ଫାଟକ ଡବଲ ରେଲୱେ ଲାଇନ ଥାଇ ମଧ୍ୟ ବାରମ୍ବାର ବନ୍ଦ ହେଉଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଓଭର ବ୍ରିଜ କିମ୍ବା ଅଣ୍ଡର ବ୍ରିଜ କରାଯାଉ ବୋଲି ସରପଞ୍ଚ ମନୀଷ ସୁନା ଦାବୀ କରିଥିଲେ । ଏପରିକି ବେଲଗାଁ ପଞ୍ଚାୟତ ନରାବାହାଲି ଓ ଭଦ୍ରା ପଞ୍ଚାୟତ ଯୁବମାଳ ଗ୍ରାମରେ ଥିବା ୟୁଜିଏସଏଚ ସ୍କୁଲରେ ଆର୍‌ଡି ବିଭାଗ ଦ୍ୱାରା ନିର୍ମିତ ନୂତନ ସ୍କୁଲ କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇ ୫ ବର୍ଷ ବିତିଯାଇଥିଲେ ମଧ୍ୟ ସ୍କୁଲକୁ ହସ୍ତାନ୍ତର କରାଯାଇନାହିଁ । ଏନେଇ ବେଲଗାଁ ସରପଞ୍ଚ ରାମଚନ୍ଦ୍ର ବେହେରା ତୁରନ୍ତ ସ୍କୁଲକୁ ହସ୍ତାନ୍ତର କରାଯାଉ ବୋଲି ଦାବୀ କରିଥିଲେ । ଶିଶକେଲା ପଞ୍ଚାୟତ ସମିତି ସଭ୍ୟ ଉମାକାନ୍ତ ରଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଛୁଟିରେ ଗଲେ ନିର୍ବାଚିତ ପ୍ରତିନିଧି ସରପଞ୍ଚଙ୍କୁ ଜଣାଇବେ ବୋଲି ପ୍ରସ୍ତାବ ଦେଇଥିଲେ । ସେହିପରି ସଇଁତଲା ଆରଆଇ ଅଫିସ ନୂତନ କୋଠା ନିର୍ମାଣ ଓ ସଇଁତଲାକୁ ଏନଏସି ଘୋଷଣା କରିବାକୁ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କୁ ସଇଁତଲା ସରପଞ୍ଚ ସୁବ୍ରତ ନାଗ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ସଇଁତଲା ଶିକ୍ଷା ବିଭାଗରେ ନକଲି ଶିକ୍ଷକ ଦୌରାତ୍ମ୍ୟ ଯୋଗୁଁ ଶିକ୍ଷିତ ଯୁବକ ଯୁବତୀମାନେ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ନକଲି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବହିଷ୍କାର କରାଯାଉ ବୋଲି ସମିତି ସଭ୍ୟ ନବୀନ ରଣା ଅଭିଯୋଗ କରିଛନ୍ତି । ଭତାସର ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି ନିଯୁକ୍ତି ବ୍ୟାପକ ହୋଇଥିବା ସମିତି ସଭ୍ୟ ରାକେଶ ନାୟକ ଅଭିଯୋଗ କରିଛନ୍ତି । ଜଳିଆରେ ମଧ୍ୟ ହେଲପର୍‌ ନିଯୁକ୍ତି ହେବାରେ ବିଳମ୍ୱ ହେଉଥିବାରୁ କନ୍ଦକେଲଗାଁ ସରପଞ୍ଚ ଅଭିଯୋଗ କରିଥିଲେ । ସେହିପରି ଘୁନସର ଅଙ୍ଗନୱାଡି କେନ୍ଦ୍ରଗୁଡିକରେ କର୍ମୀମାନେ ୧୨ ଗୋଟି ଅଣ୍ଡା ଦେବା ପରିବର୍ତ୍ତେ ୧୦ ଗୋଟି ଅଣ୍ଡା ଦିଆଯାଉଛି ବୋଲି ସମିତି ସଭ୍ୟ ବାଞ୍ଛାନିଧି ବୁଡ଼େକ ସିଡିପିଓଙ୍କୁ ଅଭିଯୋଗ କରିଥିଲେ । ଏପରିକି ବୁଢ଼ାବାହାଲ ପଞ୍ଚାୟତରେ ସରପଞ୍ଚ ବସିବା ପାଇଁ ଅଫିସ ଗୃହ ନଥିବାରୁ ସରପଞ୍ଚ ଲତା କୁମ୍ଭାର ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବେଲଗାଁ ମେଗା ପ୍ରକଳ୍ପରୁ ଶିଶକେଲା, ଘୁନସର ବିଭିନ୍ନ ଗାଁକୁ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହେଉଛି । ବେଲଗାଁ ଯାନୀପଡାରେ ଦୀର୍ଘ ଦିନ ହେଲା ଜଳ ଯୋଗାଣ ହେଉ ନ ଥିବାରୁ ସମିତି ସଭ୍ୟା ଆରତୀ ସେଠ ଅଭିଯୋଗ କରିଥିଲେ । ସେହିପରି ବନାରସ, ଲାଚୁଟ, ଗୁର୍ଲ୍ଲାମାଳରେ ଲୋକେ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସରପଞ୍ଚ ଅଶୋକ ସାହୁ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହେଉଥିବା ବେଳେ ବିଦ୍ୟୁତ ବିଭାଗର ଅଧିକାରୀ, ଯୋଗାଣ ବିଭାଗ, ବିଇଓ, ରେଞ୍ଜର ମଧ୍ୟ ବୈଠକରେ ଅନୁପସ୍ଥିତକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ମାନସନ ଫିଳ କେରକେଟା, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ହିମାଂଚଳ ବୁଡ଼େକ, ସରକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ଜିପିଇଓ ପଦ୍ମକାନ୍ତ ପାଣିଗ୍ରାହୀ, ମେଡିକାଲ ଅଫିସର ସମରେନ୍ଦ୍ର ମହାପାତ୍ର, ସିଡିପିଓ ସବିତା ଦାଶ, ଧରବଗଡ଼ ସରପଞ୍ଚ ଗୀତାଞ୍ଜଳି ପଣ୍ଡା, ଘୁନସର ସରପଞ୍ଚ ଅନୁରାଧା ସେଠ, କରମତଳା ସରପଞ୍ଚ ତିଲୋତ୍ତମା ବାଗଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ତଥା ବିଭିନ୍ନ ବିଭାଗର ଅଧିକାରୀ ଓ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.