ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗାଇସିଲେଟ ସରପଞ୍ଚ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସରପଞ୍ଚମାନେ ସରପଞ୍ଚ ହେବାର ଗୋଟିଏ ବର୍ଷରୁ ଅଧିକ ହୋଇଥିଲେ ବି ବର୍ତ୍ତମାନ ସୁଧା କୌଣସି ଉନ୍ନୟନମୂଳକ କାମ କିମ୍ବା କୌଣସି ସମସ୍ୟାର ସମାଧାନ କରିନପାରିବାରୁ ଗାଇସିଲେଟ ବ୍ଲକ ସରପଞ୍ଚ ସଂଘ ଗତକାଲି ଜିଲ୍ଲାପାଳଙ୍କୁ ଭେଟି ଅନେକ ସମୟ ଆଲୋଚନା କରିଥିଲେ । ଆଲୋଚନା ସମୟରେ କୁହାଯାଇଥିଲା ଯେ ବ୍ଲକର ୧୯ଟି ପଞ୍ଚାୟତରେ ମାତ୍ର ୯ ଜଣ ପିଇଓ ଓ ୪ ଜଣ କନିଷ୍ଠ ଯନ୍ତ୍ରୀ ଅଛନ୍ତି । ମୁଖ୍ୟ କିରାଣୀ ନଥିବାରୁ କୌଣସି କାମ ଠିକ୍‌ରେ ହୋଇପାରୁ ନାହିଁ । ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତା ଟଙ୍କା ଆକାଉଣ୍ଟରେ ପଡୁଥିବାରୁ ଅନେକ ଲୋକ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ତେଣୁ ହିତାଧିକାରୀ ହାତକୁ କିଭଳି ସିଧାସଳଖ ଟଙ୍କା ପାଇପାରିବେ, ପ୍ରାଥମିକ ସ୍କୁଲ ଗୁଡିକ ଜରାଜିର୍ଣ୍ଣ ଅବସ୍ଥାରେ ପଡି ରହିଥିବାରୁ ତୁରନ୍ତ ଏହାର ମରାମତି ଓ ନୂତନ ଶ୍ରେଣୀଗୃହ ତିଆରି କରାଯାଉ, ପଞ୍ଚାୟତରେ ନିଯୁକ୍ତ ଥିବା ପିଅନ ଏବଂ ରାତ୍ରଜଗୁଆଲିଙ୍କ ଦରମା ଟଙ୍କା ସିଏଫ୍‌ସି/ଏସ୍‌ଏଫ୍‌ସିରୁ କିପରି ଦିଆଯାଉ, ସମସ୍ତ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ, ପାନୀୟ ଜଳଯୋଗାଣ ହେଉଥିବା ଗ୍ରାମଗୁଡିକରେ ପାଇପ୍ ଫାଟି ନଷ୍ଟ ହୋଇଯାଇଥିବାରୁ ରାସ୍ତାରେ ପାଣି ଅପଚୟ ହେଉଛି । ଏହାର ମରାମତି ସହ ଯେଉଁ ଗ୍ରାମଗୁଡିକରେ ପାନୀୟ ଜଳ ଯୋଗାଣ ହୋଇନାହିଁ ତାହାର ତୁରନ୍ତ ବ୍ୟବସ୍ଥା କରାଯାଉ, ଗ୍ରାମୀଣ ଉଦ୍ୟାନର ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା କରାଯାଉ, ଏଥି ପ୍ରତି ପଞ୍ଚାୟତରୁ କୌଣସି ବ୍ୟବସ୍ଥା ନଥିବାରୁ ସରପଞ୍ଚମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତୁରନ୍ତ ଦିଆଯାଉ ଏବଂ ନୂତନ ହିତାଧିକାରୀଙ୍କୁ ଏଥିରେ ସାମିଲ କରି ବାକିଥିବା ଲୋକଙ୍କ ଇନ୍‌ସେଣ୍ଟିଭ ଟଙ୍କା ଶୀଘ୍ର ଦେବା ପାଇଁ ବ୍ୟବସ୍ଥା କରାଯାଉ । ରାସନ କାର୍ଡ ପାଇବାରୁ ବଞ୍ଚିତ ଥିବା ହିତାଧିକାରୀ କେମିତି ରାସନ କାର୍ଡ ପାଇ ପାରିବେ, ମନରେଗାରେ ସରକାରଙ୍କ ନିୟମ ଅନୁସାରେ ଅଣକୁଶଳୀ ୬୦% ଓ ସାମଗ୍ରୀ ୪୦% ପ୍ରତିଶତ ଅନୁସାରେ ପ୍ରକଳ୍ପମାନ ଅନୁମୋଦନ କଲେ ଏଥିରେ ଗାଈ ଗୁହାଳ, ଛେଳି ଗୁହାଳ, ଫାର୍ମ ପଣ୍ଡ, ଜମି ଉନ୍ନତିକରଣ, ସ୍କୁଲ ପାଚେରୀ, ଗାଧୁଆ ଘାଟ ଆଦି ଅନେକ ଗୁଡିଏ କାମ ହୋଇପାରିବ । ଯାହା ଫଳରେ ଲୋକେ ଉପକୃତ ହୋଇପାରିବେ । ଉପରୋକ୍ତ ସମସ୍ତ ସମସ୍ୟା ପ୍ରତି ଧ୍ୟାନ ଦେବା ସହ ଏହାର ସମାଧାନ ପାଇଁ ପ୍ରୟାସ କରିବାକୁ ସରପଞ୍ଚ ସଂଘ ଅନୁରୋଧ କରିଥିବା ବେଳେ ଜିଲ୍ଲାପାଳ ତୁରନ୍ତ କିଛି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!