ଖଲିଆପାଲି ବିଦ୍ୟାଳୟରେ ବିଶ୍ୱ ରେଡକ୍ରସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ବିଶ୍ୱ ରେଡକ୍ରସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ୍‌ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ଚେୟାରପର୍ସନ୍‌ ମଧୁମତି ବରିହା ମୁଖ୍ୟ ଅତିଥି ଓ ୱାର୍ଡସଭ୍ୟ ବିଘ୍ନେଶ୍ୱର କୁମ୍ଭାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସର୍ବପ୍ରଥମେ ରେଡକ୍ରସ୍‌ର ପ୍ରତିଷ୍ଠାତା ସାର୍‌ ଜାଁ ହେନେରୀ ଡୁନାଣ୍ଟ ଓ ଜୁନିୟର ରେଡକ୍ରସ୍‌ର ପ୍ରତିଷ୍ଠାତା ମ୍ୟାଡମ୍‌ କ୍ଲାରା ବାର୍ଟନ୍‌ଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପ୍ରାଥମିକ ବିଦ୍ୟାଳୟ ସ୍ତରରେ ରେଡକ୍ରସ୍‌ ୟୁନିଟ୍‌ ସ୍ଥାପନ କରି ପିଲାଟି ଦିନରୁ ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତାର ଭାବ ଉଦ୍ରେକ କରିବା ଏବଂ ଗ୍ରାମାଞ୍ଚଳରେ ରେଡକ୍ରସ୍‌ର ସେବା ମନୋଭାବକୁ ବ୍ୟାପକ କରିବା ପାଇଁ ଆଜିକାର ମହତ୍‌ ଦିନରେ ମତପ୍ରକାଶ ପାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିବେଟ୍‌ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ସ୍କୁଲ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଶିକ୍ଷକ ଜ୍ୟୋତିର୍ମୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସନ୍ତୋଷ କୁମାର ପାଇକଚନ୍ଦନ, ଧୀରେନ୍ଦ୍ର କୁମାର ସାହୁ, ପୁରାତନ ଛାତ୍ରୀ ଜୟକୁମାରୀ ତାଣ୍ଡି, କମିଟି ସଭ୍ୟ/ସଭ୍ୟା ରୀତା ଝାଙ୍କର, ମୀନା ବଗର୍ତ୍ତୀ, ଚନ୍ଦ୍ରକାନ୍ତ ଦୀପ, ଭଗବତୀ ପ୍ରଧାନ ପ୍ରମୁଖ କାର୍ଯ୍ୟୃକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.