ବ୍ଲକସ୍ତରୀୟ ସରପଞ୍ଚ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ଗ୍ରାମ ପଞ୍ଚାୟତ ପରିସରରେ ସଭାନେତ୍ରୀ ଅର୍ପିତା ପଣ୍ଡାଙ୍କ ସଭାପତିତ୍ୱରେ ଗାଇସିଲେଟ ବ୍ଲକ ସରପଞ୍ଚ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରଥମେ ବ୍ଲକରେ କାର୍ଯ୍ୟରତ ଥିବା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ମନରେଗା) ଶ୍ରୀମତୀ ଅନୁପମା ସାହୁଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମସ୍ତ ସରପଞ୍ଚମାନେ ଦୀର୍ଘ ଗୋଟିଏ ବର୍ଷ ହେବ ଶ୍ରୀମତୀ ସାହୁଙ୍କ ସହିତ କାମ କରିଥିବାରୁ ତାଙ୍କ ବଦଳି ପାଇଁ ଦୁଃଖ ପ୍ରକାଶ କରିଥିବା ସହ ଭବିଷ୍ୟତ ପାଇଁ ତାଙ୍କର ମଙ୍ଗଳ କାମନା କରିଥିଲେ । ପରେ ପ୍ରାଥମିକ ସ୍କୁଲ ଗୁଡ଼ିକ ଅତି ଦୟନୀୟ ପରିସ୍ଥିତି ହୋଇ ପଡ଼ିଥିବାରୁ ମରାମତି ଏବଂ ନୂତନ ଶ୍ରେଣୀ କୋଠରୀ କିପରି ହୋଇପାରିବ, ପୁରୁଣା ପୋଖରୀ ଗୁଡ଼ିକୁ କିଭଳି ପୁନରୁଦ୍ଧାର କରାଯିବ, ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ପାନୀୟଜଳ ପାଇଁ କିପରି ନୂତନ ନଳକୂପ ଖନନ କରାଯାଇ ପାରିବ, ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତାରୁ ବଞ୍ଚିତ ଥିବା ଲୋକଙ୍କୁ କେମିତି ସାମିଲ କରାଯିବ, ଏକାଉଣ୍ଟରେ ଭତ୍ତା ଟଙ୍କା ପଡୁଥିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ହିତାଧିକାରୀ କେମିତି ଠିକ୍ ଭାବରେ ଟଙ୍କା ପାଇ ପାରିବେ, ଗାଇସିଲେଟ ବ୍ଲକରେ ୧୯ଟି ଗ୍ରାମ ପଞ୍ଚାୟତରେ ମାତ୍ର ୪ ଜଣ କନିଷ୍ଠ ଯନ୍ତ୍ରୀ ଏବଂ ୯ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିବାବେଳେ ମୁଖ୍ୟ କିରାଣୀ ନ ଥିବାରୁ କୌଣସି କାର୍ଯ୍ୟ ଠିକ୍ ଭାବରେ ହେଉ ନଥିବା ଯୋଗୁଁ ଲୋକମାନଙ୍କ କୌଣସି ସମସ୍ୟାର ସମାଧାନ ହେଉ ନଥିବା ବୈଠକରେ ଆଲୋଚନା ହୋଇଥିଲା । ତେଣୁ ଏସବୁ ସମସ୍ୟାର ସମାଧାନ ପାଇଁ ଆସନ୍ତା ୮ ତାରିଖ ସୋମବାର ଦିନ ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନର ବାଟ ଫିଟାଇବା ପାଇଁ ସଂଘ ନିଷ୍ପତ୍ତି ନେଇଛି । ପରିଶେଷରେ ସମ୍ପାଦକ ରାମଚନ୍ଦ୍ର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.