jayashree

ବନ୍ୟାପ୍ରାଣୀ ଆକ୍ରମଣରେ ମନୁଷ୍ୟ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ପରିମାଣ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶି ତଥା ସଂପତ୍ତି କ୍ଷୟକ୍ଷତି ଜନିତ ସହାୟତା ରାଶିରେ ବୃଦ୍ଧି ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବନ୍ୟାପ୍ରାଣୀ ଆକ୍ରମଣରେ ମନୁଷ୍ୟ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ପରିମାଣ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

ଫସଲ କ୍ଷୟକ୍ଷତି କ୍ଷେତ୍ରରେ ମଧ୍ୟ ସହାୟତା ପରିମାଣ ବଢିଛି । ଧାନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଫସଲ କ୍ଷତିରେ ସହାୟତା ପରିମାଣ ଏକର ପିଚ୍ଛା ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥକରୀ ଫସଲ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୧୨ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବଢିଛି ।

ସେହିପରି ଘର ଗୁଡିକର ଆଂଶିକ କ୍ଷତି କ୍ଷେତ୍ରରେ ସହାୟତା ପରିମାଣ ୨୦୦୦ ଟଙ୍କରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଘର ସଂପୂର୍ଣ୍ଣ ଭାଙ୍ଗିଥିଲେ, ବିଜୁ ପକ୍‌କା ଘର କିମ୍ବା ସେହି ମୂଲ୍ୟର ଅର୍ଥ ସହିତ ଆହୁରି ୨୦ ହଜାର ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯିବ । ପୂର୍ବରୁ ଏହି ସହାୟତା ପରିମାଣ ୧୦ ହଜାର ଟଙ୍କା ଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.