- ଗରିବଙ୍କ ଚାଉଳ ଖାଇ ଯାଉଛନ୍ତି ସରକାରୀ ଦଳ – ନରସିଂହ
- ବଜେଟ ପାସ ନକରି ପୌର ପରିଷଦ ଅର୍ଥ ଖର୍ଚ୍ଚ କରିବା ବେଆଇନ – ନରସିଂହ
- ଚାଉଳ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ୩ ଦିନ ଭିତରେ ନ ହେଲେ କଂଗ୍ରେସ କରିବ ପ୍ରତିବାଦ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଧାନସଭା ହେଉ କି ଲୋକସଭା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆଗାମୀ ବର୍ଷ ପାଇଁ ବଜେଟ ପ୍ରସ୍ତୁତ କରି ତାର ମଞ୍ଜୁରି କରାଯାଏ । ମାର୍ଚ୍ଚ ୩୧ ତାରିଖ ଭିତରେ ବଜେଟ ଉପସ୍ଥାପନା ହୋଇ ପାସ ହୋଇନପାରିଲେ ସରକାର ଭାଙ୍ଗି ଯିବାର ମଧ୍ୟ ନଜିର ରହିଛି । ଠିକ୍ ସେମିତି ପୌରପାଳିକାରେ ମଧ୍ୟ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବଜେଟ ମଞ୍ଜୁର ହେବା ନିହାତି ଜରୁରୀ । କିନ୍ତୁ ବ୍ୟତିକ୍ରମ ବଲାଙ୍ଗିର ପୌର ପରିଷଦର ଗତ ଏପ୍ରିଲ ୨୮ ତାରିଖ ସୁଦ୍ଧା ଏ ବର୍ଷ ପାଇଁ ବଜେଟ ପ୍ରସ୍ତୁତ କରି ପାସ କରିନାହିଁ । କିନ୍ତୁ ବେଆଇନ ହିସାବରେ ଅର୍ଥ ଖର୍ଚ୍ଚ କରି ଚାଲିଛି । ଏହା ସମ୍ପୂର୍ଣ୍ଣ ବେଆଇନ ଏବଂ ଅସାମ୍ବିଧାନିକ ବୋଲି ଆଜି ସ୍ଥାନୀୟ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୌର ପରିଷଦକୁ ଏ ବିଷୟରେ ତାଗିଦ କରାଯାଇ ବାରମ୍ବାର ପ୍ରଶ୍ନ କରାଯାଇଥିଲେ ସୁଦ୍ଧା ପୌର ପରିଷଦ ଏହାକୁ ଅଣଦେଖା କରିଛି । ତେବେ ମାର୍ଚ୍ଚ ୩୧ ପରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ପୌର ପରିଷଦ କଉଠୁ ଆଣିଛି ଓ କିପରି ଖର୍ଚ୍ଚ କରିଛି ତାହା ବଡ ପ୍ରଶ୍ନବାଚି ସୃଷ୍ଟି କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ଅନ୍ୟ ଅର୍ଥରେ ଏହା ପୌର ପରିଷଦର ଖୁଲମଖୁଲ୍ଲା ଅର୍ଥନୈତିକ ଅନିୟମିତତା ସର୍ବ ସମ୍ମୁଖରେ ପ୍ରକାଶ ହୋଇଛି । ଏ ସବୁ ଜାଣିବା ସତ୍ୱେ ଜିଲ୍ଲା ପ୍ରଶାସନ ଓ ବିଜେଡି ସରକାର କିପରି ଚୁପ୍ ରହିଛି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ଏହା କେବଳ ଭାତହାଣ୍ଡିର ଗୋଟିଏ ଚାଉଳ, ବଲାଙ୍ଗିର ପୌର ପରିଷଦ ଏଭଳି ବିଭିନ୍ନ ପ୍ରକାର ଦୁର୍ନିୀତିର ଗନ୍ତାଘର ପାଲଟିଛି ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । କିଛି ଦିନ ପୂର୍ବରୁ ୫ ଜଣ ଭତ୍ତା ବଣ୍ଟନ କର୍ମୀଙ୍କୁ ତାଙ୍କ ଚାକିରିରୁ ନିଳମ୍ବିତ କରାଯାଇଥିବା ଦୁର୍ନୀତିର ଅନ୍ୟ ଏକ ଉଦାହରଣ ବୋଲି ଶ୍ରୀ ମିଶ୍ର କହିଥିଲେ । ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ ସରକାର ଗରିବ ଖଟିଖିଆଙ୍କ ପାଇଁ ଦେଉଥିବା ଚାଉଳ ବାଟମାରଣ ହେଉଥିବା ଖୋଦ୍ ବଲାଙ୍ଗିର ଉପଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଚାଉଳ ବଣ୍ଟନକୁ ନେଇ ସରକାରୀ ବିଜେଡି ଦଳର ଦୁଇ ଜଣ କାଉନସିଲରଙ୍କ ମଧ୍ୟରେ କାଦୁଅ ଫିଙ୍ଗା ହୋଇଛି । ୧୬ ନଂ ୱାର୍ଡର ହିତାଧିକାରୀମାନେ ୧୫ ନଂ ୱାର୍ଡର ଏସ୍ଏଚ୍ଜି ଗୃପ ଦ୍ୱାରା ପରିଚାଳିତ ବଣ୍ଟନ କେନ୍ଦ୍ରରୁ ଚାଉଳ ଗ୍ରହଣ କରୁଥିବା ବେଳେ ୧୫ ନଂ ୱାର୍ଡ କାଉନସିଲର ସେହି ବାବଦକୁ ୨୦ ହଜାର ଟଙ୍କା ହାତଗୁଞ୍ଜା ଦାବୀ କରିବା ଗଣମାଧ୍ୟମକୁ ଆସିସାରିଛି । ଯାହା ସରକାରୀ ଦଳର ଉଭୟ କାଉନସିଲରଙ୍କ ମଧ୍ୟରେ ହୋଇଥିବା କମିଶନ ଲଢେଇ ସହିତ ସାରା ସହରରେ ଚାଉଳ ବଣ୍ଟନ ବାବାଦକୁ ହେଉଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ପଦାରେ ପକାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ପର୍ଦ୍ଦା ପଛରେ ଥିବା ବଣ୍ଟନ ବିଭାଗ ଓ ବ୍ୟବସ୍ଥାର ଅବସ୍ଥା ଆହୁରି ଧୁମିଳ ତାହା ସ୍ପଷ୍ଟ ଜଣାପଡୁଛି ବୋଲି ଶ୍ରୀ ମିଶ୍ର କହିଥିଲେ । ତେବେ ଗରିବ ଖଟିଖିଆଙ୍କ ପାଇଁ ଆସୁଥିବା ଚାଉଳର ବାଟମାରଣାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ଆସନ୍ତା ୯ ତାରିଖରେ ବିଧାନସଭା ଗୃହ କମିଟି ୬ ଏ ସଂକ୍ରାନ୍ତରେ ଆଲୋଚନା ହୋଇ ଏହାର ଅନୁସନ୍ଧାନ ନିଜେ କରିବ କିମ୍ବା କୌଣସି ଏଜେନ୍ସି ଦ୍ୱାରା କରାଯାଇ ପାରେ ବୋଲି ଶ୍ରୀ ମିଶ୍ର କହିଥିଲେ । ଆଗାମୀ ୩ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରୁ ବୋଲି ଆମେ ଦାବୀ କରୁଛୁ । ନଚେତ କଂଗ୍ରେସ ଦଳ ଏହାର ଦୃଢ ପ୍ରତିବାଦ କରିବ । ତା’ ପରେ ମଧ୍ୟ ଯଦି ପ୍ରଶାସନ ତରଫରୁ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ଏବଂ ଏହି ଚାଉଳ ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ଓ ସରକାରୀ ଦଳ କାଉନସିଲରମାନଙ୍କର ଅସଲ ଚେହେରା ପର୍ଦ୍ଦାଫାସ କରିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ବିଧାୟକଙ୍କ ପୌରପାଳିକା ପ୍ରତିନିଧି ଅଜୟ ବାଲି ମଂଚାସୀନ ଥିଲେ ।