ପୁରୀ : ଆଜି ବୈଶାଖ ମାସ ଶେଷ ସୋମବାର । ମହାପ୍ରଭୁ ଲୋକନାଥଙ୍କ ପୀଠରେ ସରନ୍ତି ସୋମବାର ଭାବେ ପାଳନ କରାଯାଏ । ଶ୍ରୀଲୋକନାଥ ମନ୍ଦିରରେ ମହାପ୍ରଭୁଙ୍କ ପିଠା, ମଙ୍ଗଳା ଆଳତୀ, ଅବକାଶ ସହ ବେଶ ଶେଷ ହେବା ପରେ ଭକ୍ତମାନଙ୍କୁ ଦର୍ଶନ କରିଥାନ୍ତି । ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ଲାଗିଥିଲା ଲମ୍ବା ଧାଡ଼ି । ଭକ୍ତମାନଙ୍କ ମନସ୍କାମନା ପୂରଣ ପାଇଁ ସେଠାରେ ବିଭିନ୍ନ ପ୍ରକାର ରୂପ (ରୂପାରେ ନିର୍ମିତ ଗୋଡ଼, ହାତ, ମୁଣ୍ଡ, ବେକ, ପେଟ ,ଶରୀର ସହ ଅନ୍ୟ ସାମଗ୍ରୀ) ସହ ଧାତୁରେ ନିର୍ମିତ ସର୍ପ, ଘଣ୍ଟି ଆଦି ବିକ୍ରି ହୋଇଥିଲା । ଲୋକନାଥ ପୀଠ ପରିସରରେ ଭକ୍ତମାନେ ଚୂଡ଼ାଘସା ପ୍ରସ୍ତୁତ କରି ଭୋଗ ଲଗାଇଥାନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ସିଂହ ଦ୍ୱାର ସମ୍ମୁଖରେ ଭକ୍ତଙ୍କ ପାଇଁ ବ୍ୟାରିଗେଟ ପ୍ରସ୍ତୁତ କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପୁଲିସ ମୁତୟନ କରାଯାଇଥିଲା ।