jayashree

ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ରକ୍ତଭଣ୍ଡାରଠାରେ ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌) ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଡବ୍ଲୁଡିଏସ୍‌ର ଅଧ୍ୟକ୍ଷ ମେଜର ଡ. କଳ୍ପନା ଦାଶଙ୍କର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କଠାରୁ ସଡକ ସୁରକ୍ଷା ପାଇଁ ପୁରସ୍କାରପ୍ରାପ୍ତ ଗୋଲଡେନ ହିରୋ ରାମନାରାୟଣ ଦାଶ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ୍‌ କୁମାର ମାର୍ଣ୍ଡି, ସମ୍ମାନିତ ଅତିଥି ଭାବରେ ଡେପୁଟି କଲେକ୍ଟର ସୁଶ୍ରୀ ଶୁଭସ୍ମିତା ମିଶ୍ର ଓ ସହକାରୀ ଜିଲ୍ଲାପାଳ ଆଦିତ୍ୟ ଦଳବେହେରା ଯୋଗଦାନ ଦେଇଥିଲେ । ବେଳେ ବେଳେ ସଡକ ଦୁର୍ଘଟଣା ଯୋଗୁଁ ହଠାତ୍‌ ଆହତ ବ୍ୟକ୍ତି ପାଇଁ ରକ୍ତର ଆବଶ୍ୟକତା ପଡିଥାଏ । ରକ୍ତ ଭଣ୍ଡାରରେ ମହଜୁତ ରକ୍ତ ଆହତ ବ୍ୟକ୍ତି ପାଇଁ ଜୀବନ ବଞ୍ଚାଇପାରେ, ତେଣୁ ସମସ୍ତେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ମାର୍ଣ୍ଡି ମତବ୍ୟକ୍ତ କରିଥିଲେ । ସାଧାରଣତଃ ଗ୍ରୀଷ୍ମ ସମୟରେ ସିକିଲିନ ତଥା ଅନ୍ୟ ରୋଗୀ ପାଇଁ ରକ୍ତର ଅଭାବ ଦେଖାଦେଇ ଥାଏ, ତେଣୁ ଯୁବସମାଜ ରକ୍ତର ଅଭାବକୁ ଦୂର କରିବା ପାଇଁ ଆଗେଇ ଆସିବା ପାଇଁ ଡେପୁଟି କଲେକ୍ଟର ଶୁଭସ୍ମିତା ମିଶ୍ର ମତ ରଖିଥିଲେ । ରକ୍ତର କିଛି ବିକଳ୍ପ ନାହିଁ, ଯେତେ ଦାନ ଅଛି ସବୁଠାରୁ ମହାନ ଦାନ ରକ୍ତଦାନ ବୋଲି ସରକାରୀ ଜିଲ୍ଲାପାଳ ଆଦିତ୍ୟ ଦଳବେହେରା କହିବା ସହ ପ୍ରଥମେ ରକ୍ତଦାନ କରିଥିଲେ । ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ତଥା ଅନ୍ୟ ସ୍ୱେଚ୍ଛାସେବୀମାନେ ସ୍ୱଇଚ୍ଛାରେ ୩୧ ଜଣ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ଦୀପକସେନ ଧରୁଆ, ଅନ୍ତର୍ଯ୍ୟାମୀ ବରିହା, ରବିଚନ୍ଦ୍ର ପଶାୟତ, ଦୁର୍ଯ୍ୟୋଧନ ପଶାୟତ, ସତ୍ୟନାରାୟଣ ଦାଶ, ରକ୍ତଭଣ୍ଡାର କର୍ମଚାରୀ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସୁଜିତ ପୁରୋହିତ, ଅଜିତ ସାହୁ, ସୁଶିଲ ସୁନା, ଜୟଶ୍ରୀ ବେହେରା, ସ୍ୱାଗତିକା ମେହେର, କେଶବ ଷାଣ୍ଢ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଭାକର ଛନ୍ଦ ପରିଚାଳନା କରିଥିବା ବେଳେ ଶିଶୁ ଓ ମହିଳା ବିକାଶ ସୋସାଇଟିର ବଲାଙ୍ଗିର ଜିଲ୍ଲା ସଂଯୋଜକ ଚନ୍ଦ୍ର ଶେଖର ସେଠ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.