lika

ସାଧାରଣରେ ଅଭିଯୋଗ : ଲୋକ ଦେଖାଣିଆ ଧର ପଗଡ, ବେଧଡକ ଚାଲିଛି ବାଲି ଚୋରା ଚାଲାଣ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର କିଛିକାଂଶ ଛତିଶଗଡ ଏବଂ ଓଡିଶା ସୀମାନ୍ତ ଅଂଚଳ ହୋଇଥିବା ବେଳେ ପାହାଡ ଜଙ୍ଗଲ ଘେରା ଏହି ଅଂଚଳରୁ ବହୁ ସମୟରେ ବିଭିନ୍ନ ପ୍ରକାର ଜଙ୍ଗଲ ଜାତ ଦ୍ରବ୍ୟ ତଥା ଖଣିଜାତ ଦ୍ରବ୍ୟ ଚୋରି କରି ଚାଲାଣ କରାଯାଇଥାଏ । ଏହି ଭିତରେ କିନ୍ତୁ ସବୁଠାରୁ ବେଶୀ ବାଲି ଚୋରା ଚାଲାଣ ହେଉଥିବା ନଜରକୁ ଆସିଛି । ବାଲି ମାଫିଆମାନେ ସୀମାବର୍ତି ଅଂଚଳର ଗ୍ରାମବାସୀମାନଙ୍କୁ ଡରେଇ ଧମକେଇ ଦିନ ରାତି ନଦୀ ମଝିରେ ଡମ୍ଫର ଏବଂ ଜେସିବି ଲଗେଇ ବାଲି ଚୋରି କରି ନିକଟବର୍ତି ଛତିଶଗଡକୁ ଚୋରା ଭାବରେ ଚାଲାଣ କରୁଛନ୍ତି । ବିଭିନ୍ନ ବାଲି କୁଆରି ଯାହା କି ବର୍ତମାନ ମଧ୍ୟ ବିନା ଲିଜ୍‌ରେ ସରକାରୀ ସମ୍ପତି ଭାବରେ ରହିଛି, ସେଠାରୁ ବିନା କୌଣସି ଅଧିକାରିକ ସ୍ୱୀକୃତିରେ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ କରାଯାଇଉଛି । ଝାରବନ୍ଧ ଏବଂ ପାଇକମାଲ ବ୍କକ ଅଧୀନରେ ଆସୁଥିବା ଜଗଦଲପୁର, ସାନ କୁଞ୍ଜାରୀ, ବଲାଙ୍ଗିର ପରି ବହୁ ଘାଟରୁ ବାଲି ମାଫିଆ ମାନେ ବେଧଡକ ଭାବରେ ନିଜର ଚୋରା ସାମ୍ରାଜ୍ୟ ବିସ୍ତାର କରିଛନ୍ତି । ହେଲେ ପ୍ରଶାସନ ଏ ସବୁ ଜାଣି ମଧ୍ୟ ନିଦା ବିଷ୍ଣୁଙ୍କ ଭଳି ଆଖି ବନ୍ଦ କରି ଅନନ୍ତ ଶୟନରେ ଶୋଇଛନ୍ତି । ସେହିପରି ଝାରବନ୍ଧ ବ୍ଲକ ଅଧୀନସ୍ଥ ଜଗଦଲପୁର ଥାନା ଅନ୍ତର୍ଗତ ଅଙ୍ଗ ନଦୀ ଠାରେ ଥିବା ବାଲି କୁଆରିର ଲିଜ ଗତ ତା.୩୧.୦୩.୨୦୨୦ ସୁଦ୍ଧା ଶେଷ ହୋଇସାରିଥିବା ବେଳେ ସରକାରୀ ନିୟମ ଅନୁଯାୟିୀ ସେହି ସ୍ଥାନରୁ ବାଲି ଉଠାଇବା ବେନିୟମ । କିନ୍ତୁ ବର୍ତମାନ ମଧ୍ୟ ସେଠାରୁ ଖୁଲମ ଖୁଲା ଭାବରେ ନଦୀ ମଝିରେ ରାସ୍ତା ତିଆରି କରି ଜେସିବି ଓ ଡମ୍ଫର ସାହାଯ୍ୟରେ ଟନ ଟନ ବାଲି ଚୋରି କରାଯାଉଛି । ହେଲେ ମାତ୍ର ୧.୫ କିଲୋମିଟର ଦୂରରେ ପୋଲିସ ଷ୍ଟେସନ୍‌ ଥାଇ ମଧ୍ୟ ଅଧିକାରୀମାନେ କୌଣସି ପଦକ୍ଷେପ ନନେଇ ଚୁପ ରହୁଥିବା ବେଳେ ବାଲି ମାଫିଆଙ୍କ ଆତଙ୍କ ଦିନକୁ ଦିନ ବଢିବାରେ ଲାଗୁଛି । ଏହି ପ୍ରକାର ଅବ୍ୟବସ୍ଥା ପୋଲିସର କାର୍ୟ୍ୟ ନିଷ୍ଠା ଉପରେ ଏକ ପ୍ରଶ୍ନବାଚୀ ସାଜିଥିବା ବେଳେ ଅନ୍ୟ ପଟେ ନିକଟସ୍ଥ ପଦ୍ମପୁର ସହରକୁ ଆସୁଥିବା ବାଲିର ଦର ଦିନକୁ ଦିନ ଆକାଶଛୁଆଁ ହେଉଛି । ବାଲି ଟ୍ରିପ୍‌ ପ୍ରାୟ ୨୦୦୦ ରୁ ୨୨୦୦ ପର୍ୟ୍ୟନ୍ତ ଦେଇ ଲୋକେ କିଣୁଥିବା ବେଳେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ କରି ବାଲି ଚୋରା ଚାଲାଣ କରୁଥିବା ମାଫିଆମାନଙ୍କ ଉପରେ କିନ୍ତୁ ପ୍ରଶାସନ କୌଣସି ପ୍ରକାରର କାର୍ୟ୍ୟନୁଷ୍ଠାନ ନେଉନାହାନ୍ତି । ଘର ତିଆରି ପାଇଁ କି ଅନ୍ୟ କୌଣସି ସାମୁହିକ କାର୍ୟ୍ୟ ପାଇଁ, ଗାଁ ଲୋକେ କି ଅନ୍ୟ କେହି ବି ଯଦି ବାଲି ନିଏ, ତା ଉପରେ ପ୍ରଶାସନ ହଜାର ହଜାର ଟଙ୍କାର ଦଣ୍ଡ ସହ ଗାଡି ତଥା ବାହାନ ମଧ୍ୟ ଜବତ କରୁଛନ୍ତି । ହେଲେ ଟନ୍‌ ଟନ୍‌ ବାଟରେ କରାଯାଇଉଥିବା ବାଲି ଚୋରା ଚାଲାଣକୁ ଅନ୍ଧ ଧୃତରାଷ୍ଟ୍ର ଭାବରେ ପ୍ରଶ୍ରୟ ଦେଇ ବାଲି ମାଫିଆଙ୍କ ସହ ମଧୁଚନ୍ଦ୍ରିକା ପୁର୍ବକ ରାଜ୍ୟ ସରକାରଙ୍କର କୋଟି କୋଟି ଟ‌ଙ୍କାର ବାଲି ଚୋରି ହେବାକୁ ଦେଉଛନ୍ତି । ଏ ନେଇ ବର୍ତମାନ ଅଂଚଳବାସୀଙ୍କ ମନରେ ପ୍ରଶ୍ନ ଯେ, ପ୍ରଶାସନ ମଝି ମଝିରେ ଯେଉଁ ମନଇଚ୍ଛା ବାଲି ଗାଡି ଜବତ କରୁଛନ୍ତି, ତାହା ପ୍ରକୃତରେ କାର୍ୟ୍ୟାନୁଷ୍ଠାନ ପାଇଁ ନା କେବଳ ଲୋକ ଦେଖାଣିଆ ଭାବରେ । ଏହା ସହ ଏପରି ଅପରାଧିକ ଗତିବିଧିକୁ ଆଉ ପ୍ରଶ୍ରୟ ନଦେଇ ଅତିଶୀଘ୍ର ଉଚିତ ପଦକ୍ଷେପ ସହ ମାଫିଆମାନଙ୍କ ଉପରେ କଠୋର କାର୍ୟ୍ୟନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହେଉଛି ।

babaa
Leave A Reply

Your email address will not be published.