oom

ପୂଜ୍ୟ ପୂଜା ସମିତି ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳନ

jsmm
  • ନିର୍ବାଚିତ ପ୍ରତିନିଧିଙ୍କୁ ଫେରାଇ ଆଣିବା ଅଧିକାର ଜନତାଙ୍କ ପାଖରେ ରହୁ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ଶୁକ୍ରବାର ଉକ୍ରଳଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଗାନ୍ଧିନଗର ଛକ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସମିତିର ସଭାପତି ବଂଶୀଧର ଭୂୟାଁ ମାଲ୍ୟାର୍ପଣ କରିବା ପରେ ତାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ବିନା ଦରମାରେ ମନ୍ତ୍ରିତ୍ୱ ପାଇଁ ଦାବୀ ଗୃହୀତ ନ ହେବାରୁ ସେ ମନ୍ତ୍ରିତ୍ୱ ତ୍ୟାଗ କରିଥିଲେ । ଦେଶସେବାର ଉକୃଷ୍ଟ ମାଧ୍ୟମ ରାଜନୀତିକୁ ସ୍ୱଚ୍ଛ, ନିର୍ମଳ କରିବା ପାଇଁ ମଧୁବାବୁଙ୍କ ବଳିଷ୍ଠ ଯୁକ୍ତିକୁ ଚର୍ଚ୍ଚା କରିବା ପାଇଁ ମଧ୍ୟ ଆଜିର ରାଜନେତା ଖୁବ ଭୟ କରୁଛନ୍ତି । ଆଜିର ସାଂସଦ, ବିଧାୟକମାନେ ଦରମା ବୃଦ୍ଧି ସହ ବିଭିନ୍ନ ପ୍ରକାର ଭତ୍ତା ଦାବୀରେ ସରକାରକୁ ଅଚଳ କରିଦେବାର ଧମକ ଦେଉଛନ୍ତି, ଅଥଚ ଏ ଦେଶର ଚାଷୀ, ଶ୍ରମିକ, ଦଳିତ, ମହିଳା ଆଦି ଶୋଷିତ ଶ୍ରେଣୀ ପାଇଁ ସେମାନଙ୍କ ମୁହଁରୁ ପଦେ କଥା ବାହାରୁନାହିଁ । ଦରଦାମ ବୃଦ୍ଧି, ବେକାରୀ ସଙ୍କଟ ଭଳି ସମସ୍ୟାର ସମାଧାନ କରିବାରେ ଅକ୍ଷମ ସରକାର କୋଟି କୋଟି ଟଙ୍କାର ଦୁର୍ନୀତିରେ ବୁଡି ରହିଛନ୍ତି । ବଡ଼ ବଡ଼ ଶିଳ୍ପପତି, ପୁଞ୍ଜିପତିଙ୍କ କୋଟି କୋଟି ଟଙ୍କାର ଋଣକୁ ଛାଡ଼ କରି ସାଧାରଣ ଜନତାଙ୍କ ଉପରେ ଉକ୍ତ ଋଣ ବୋଝକୁ ଲଦିବା ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରକୁ ବହୁ ଗୁଣରେ ବୃଦ୍ଧି କରୁଛନ୍ତି । ଏତଦ୍‌ସହ ମଧୁବାବୁଙ୍କ ମନ୍ତ୍ରିତ୍ୱ ସମୟରେ ସେ ଦୁଇଟି ଯୁଗାନ୍ତକାରୀ ବିଲ ଆଣିଥିଲେ । କୌଣସି ନିର୍ବାଚିତ ପ୍ରତିନିଧିଙ୍କ ନିଷ୍କ୍ରିୟତା ପାଇଁ ତାଙ୍କୁ ଫେରାଇ ଆଣିବା ଅଧିକାର ଜନତାଙ୍କ ପାଖରେ ରହିବା ଓ ଦଳିତଙ୍କ ଉତଥାନ ପାଇଁ ସାମାଜିକ ନିରାପତ୍ତା ବିଲ । ଏଣୁ ମଧୁବାବୁଙ୍କ ସ୍ୱ୍ୱପ୍ନର ଓଡିଶାକୁ ନିର୍ମାଣ କରିବା ପାଇଁ ସମସ୍ତ ଓଡିଶାବାସୀ ଆଜି ସ୍ୱ୍ୱାଭିମାନୀ ଲଢେଇର ରାସ୍ତାକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆଜିର ସ୍ମରଣ ସଭାରେ ବରିଷ୍ଠ ସାମ୍ବାଦିକ ରବି ରଥ, ସମ୍ପାଦକ ଏସ.ଶାମ୍ବାଶିବା ରାଓ, ସିମାଞ୍ଚଳ ମହାନ୍ତି, ଅମୁଲ୍ୟ ଚନ୍ଦ୍ର ପଣ୍ଡା, କବିରାଜ ସାହୁ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଡା. ନକୁଳ ସାହୁ, ଲାଲବାହାଦୁର ପଟ୍ଟନାୟକ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ଗୁରୁଶ୍ରୀ ଶଙ୍କର୍ଷଣ ପାତ୍ର ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.