ବଲାଙ୍ଗିରରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ

  • ମ୍ୟାଲେରିଆ ନିରାକରଣ ସକାଶେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. କୁବେର ଚନ୍ଦ୍ର ମହନ୍ତ ଅଧ୍ୟକ୍ଷତା କରି ମ୍ୟାଲେରିଆ ଭଳି ରୋଗକୁ କେମିତି ଅତି ଶୀଘ୍ର ଚିହ୍ନଟ କରିବା ଏବଂ ଏହାର ପ୍ରତିକାର ନିମନ୍ତେ ଅଭିନବ ପନ୍ଥା ଗ୍ରହଣ କରି ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି କରି ଏହାର ନିରାକରଣ ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ ଓ ଏହାର ଉପଯୁକ୍ତ ବ୍ୟବହାର ଦ୍ଵାରା ମ୍ୟାଲେରିଆ ରୋଗକୁ ହ୍ରାସ କରାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ । ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦିବ୍ୟ କିଶୋର ପତି ଏହି ଦିବସ ପାଳନର ତତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ମ୍ୟାଲେରିଆ ନିରାକରଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡ଼. ସିଦ୍ଧେଶ୍ଵର ମାଝୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡ଼. ସୁଧା ବାର୍ଲା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡ଼. ନମୀତା ମିଶ୍ର, ଡ଼. ତୁଷାରକାନ୍ତ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ମୃତୁଞ୍ଜୟ ମୁଣ୍ଡ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଋତାଞ୍ଜଳି ମିଶ୍ର ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ସୁରେଶ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.