ସିପିଆଇଏମ୍ ପକ୍ଷରୁ ଲେନିନ୍‌ଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵ ସର୍ବହରା ଶ୍ରେଣୀର ମହାନାୟକ, ଋଷ ବିପ୍ଳବର ରୂପକାର, ବିଶ୍ଵର ପ୍ରଥମ ସମାଜବାଦୀ ରାଷ୍ଟ୍ର ଋଷର ନିର୍ମାତା, ମହାନ୍ ବିପ୍ଳବୀ ଭି ଆଇ ଲେନିନ୍‌ଙ୍କ ୧୫୪ତମ ଜନ୍ମ ଜୟନ୍ତୀ ଗତକାଲି ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଶକ୍ତିନଗର ଜିଲ୍ଲା ପାର୍ଟି ଅଫିସଠାରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟି ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ପ୍ରଥମେ ଲେନିନ୍‌ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଲେନିନ୍‌ଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହି ସମାରୋହରେ ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ସଦସ୍ୟ ଆଇନଜୀବୀ ଅରିନ୍ଦମ ଦତ୍ତ ବକ୍ତବ୍ୟ ରଖି କହିଥିଲେ ଯେ, ଋଷରେ ମାର୍କସବାଦକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିଥିଲେ । ମାର୍କସବାଦର ଜଣେ ମହାନ୍ ତତ୍ତ୍ଵବିତ୍ ଭାବରେ ବିଶ୍ଵରେ ସର୍ବହରା ବିପ୍ଳବ ପାଇଁ ଲେନିନ୍‌ଙ୍କ ଅବଦାନ ଅବିସ୍ମରଣୀୟ । ଲେନିନ୍ ୨୨ ଏପ୍ରିଲ ୧୮୭୦ରେ ଜନ୍ମଗ୍ରହଣ କରିଥିଲେ । ରୁଷରେ ବଲସେଭିକ ପାର୍ଟିର ନେତୃତ୍ୱ ନେଇ ଶ୍ରମିକ ଶ୍ରେଣୀ ନେତୃତ୍ୱରେ ଯେଉଁ ବିପ୍ଲବ କରିଥିଲେ ତାହା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ରୁଷ ବିପ୍ଲବ ସାମ୍ରାଜ୍ୟବାଦ ଓ ପୁଂଜିବାଦ ବିରୋଧରେ ଏବଂ ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ଖୋରାକ ଯୋଗାଇଥିଲା । ଏହି ବିପ୍ଲବ ପରେ ସମଗ୍ର ବିଶ୍ଵରେ ରୁଷ ଏକ ଶକ୍ତିଶାଳୀ ସମାଜବାଦୀ ରାଷ୍ଟ୍ର ରୂପେ ନିଜର ପତିଆରା ବୃଦ୍ଧି କରିଥିଲା । ଲେନିନ୍‌ଙ୍କ ନେତୃତ୍ୱରେ ରୁଷର ରାଷ୍ଟ୍ରାୟତ ଉଦ୍ୟୋଗ, ସମବାୟ କୃଷି ବ୍ୟବସ୍ଥା ଓ ଭୂ-ସଂସ୍କାର ଆଦି ନୀତି ଗ୍ରହଣ କରାଯାଇଥିଲା । ମଣିଷ ସମାଜର ବିକାଶ ପାଇଁ ପୁଞ୍ଜିବାଦ ନୁହେଁ ସମାଜବାଦ ହିିଁ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ଦତ୍ତ କହିବା ସହିତ ମହାନ୍ ବିପ୍ଳବୀ ଲେନିନ୍‌ଙ୍କୁ ମାର୍କସବାଦର ସଫଳ ରୂପାୟନକାରୀ ବୋଲି କହିଥିଲେ । ଏହି ସମାରୋହରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିମାନ ମାଇତି, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଭ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଭ୍ୟ ବିଶ୍ଵଜିତ ମାଝୀ, ଯଯାତି କେଶରୀ ସାହୁ, ଲକ୍ଷ୍ମୀଧର ନାୟକ, ବସନ୍ତ ପାଢ଼ୀ, ପ୍ରମୋଦ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.