ଟିଟିଲାଗଡ଼ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ବଣିକ ସଂଘ ସଭା ଗୃହରେ ମଞ୍ଚର ସଭାପତି ରାଧାକାନ୍ତ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଆଗାମୀ କାର୍ଯ୍ୟପନ୍ଥା ପାଇଁ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ମତ ପ୍ରଦାନ କରିଥିଲେ ।

ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି, ପାଣି ହେଉଛି ସହରର ମୁଖ୍ୟ ସମସ୍ୟା । ଏହି ବିଷୟରେ ଉପସ୍ଥିତ ସଦସ୍ୟମାନେ ନିଜର ମତ ପ୍ରଦାନ କରିଥିଲେ । ତନ୍ମଧ୍ୟରୁ ସହରରେ ଥିବା ଦୁଇଟି ମହାବିଦ୍ୟାଳୟରେ ଶିକ୍ଷାର ମାନ ହ୍ରାସ ପାଉଥିବା ବେଳେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ, ସହରର ଟ୍ରାଫିକ ସମସ୍ୟା, ବିଭିନ୍ନ ଛକମାନଙ୍କରେ ସିସିଟିଭି ଲଗାଇବା, ଟିଟିଲାଗଡ଼କୁ କିପରି ଜିଲ୍ଲା ମାନ୍ୟତା ମିଳିବ ସେ ନେଇ କ’ଣ କ’ଣ ପଦକ୍ଷେପ ନିଆଯିବ ସେ ବିଷୟରେ ବିସ୍ତୃତ ଆଲୋଚନା କରଯାଇଥିଲା । ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ସହ ପ୍ରାୟ ରୋଗୀଙ୍କୁ ବାହାରକୁ ଚିକିତ୍ସା ପାଇଁ ପଠାଇବା ଅତି ଦୁର୍ଭାଗ୍ୟର ବିଷୟ ବୋଲି ସମସ୍ତେ କହିଥିଲେ ।

ଆଜି ବି ଲୋକେ ମୌଳିକ ବ୍ୟବସ୍ଥାରୁ ବଞ୍ଚିତ ଅଛନ୍ତି । ସହରବାସୀ, ଯଦି ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ରହିଛି ସେଥିପାଇଁ ସରକାର ଚିନ୍ତା କରିବା କଥା ଯେ, ଡାକ୍ତର ପଦବୀ କିପରି ପୂରଣ ହେବ, ସ୍ଥାନୀୟ ମନ୍ତ୍ରୀ ଏବଂ ସାଂସଦ ଏ ଦିଗରେ ପଦକ୍ଷେପ ନେବା କଥା କିନ୍ତୁ ପରିତାପର ବିଷୟ ଆଜି ଯାଏଁ ସମାଧାନ ହୋଇ ପାରିଲା ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା । ସେହିପରି ଡିଏଭି ମହାବିଦ୍ୟାଳୟ ଖେଳ ପଡ଼ିଆରୁ ଜମି ଉପରେ ଅନ୍ୟ ଲୋକ ଦୋକାନ କରି ଅଛନ୍ତି କିନ୍ତୁ ମହାବିଦ୍ୟାଳୟର ଗଭର୍ଣିଂ ବଡି ଚୁପ୍‌, ଅଧ୍ୟକ୍ଷ ଚୁପ୍‌ । ସେହିପରି ସିଟି ସ୍କୁଲ ଖେଳପଡିଆରେ ସ୍ମାର୍ଟ ପାର୍କ ନିର୍ମାଣ କରିବାକୁ ମନା କରିବା ସତ୍ତ୍ୱେ ସେଠାରେ ସ୍ମାର୍ଟ ପାର୍କ ନିର୍ମାଣ କରାଗଲା, ଯାହାକି ଆଥ୍‌ଲେଟିକ ଏସୋସିସନର ସ୍ଥାନ । ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ବୋଲି ସଭାପତି ଶ୍ରୀ ପାଢୀ କହିଥିଲେ ।

ଏହି ବୈଠକରେ ନାଗରିକ ମଞ୍ଚର ସଭାପତି ରାଧାକାନ୍ତ ପାଢୀ, ସାଂଗଠାନିକ ସମ୍ପାଦକ ମନୋଜ କୁମାର ହାତୀ, ଦୀପକ ସମଦ୍ଦାର, ଉପସଭାପତି ମୋହନ ଲାଲ ଜୈନ, ପ୍ରକାଶ ଗୋୟଲ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ସଦସ୍ୟ ଈଶ୍ୱର ଜୈନ, ଘନଶ୍ୟାମ ଜୈନ, ଦେବାନନ୍ଦ ସାହୁ, ଶମ୍ଭୁ ପ୍ରସାଦ ଗୋୟଲ, ମାନସ ମହାନ୍ତି, ସଞ୍ଜୟ କୁମାର ନାୟକ, ଚିନ୍ତାମଣି ରଥ, ଚିନ୍ତାମଣି ମହାପାତ୍ର, ଦେବ ଷଡ଼ଙ୍ଗୀ, ହରି ନାରାୟଣ ମିଶ୍ର, ପଦ୍ମନାଭ ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ଶ୍ରୀମତୀ ଅଞ୍ଜଳି ବେହେରା, ରତ୍ନାକର ସାହୁ, ସୁଧିର ଘଡେଇ, ସଞ୍ଜୀବ ପାଢୀ, କୈଳାସ ସାହୁ, ରଘୁନାଥ ଠାକୁର ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.