ଏଟିଏମ୍‌ ଲୁଟେରାଙ୍କୁ ୨ ବର୍ଷ ୯ ମାସ ଜେଲ୍‌ ଦଣ୍ଡାଦେଶ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏଟିଏମ୍‌ ଲୁଟ୍‌ ମାମଲାରେ ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ଵଜାଲି ମହାନ୍ତି ଅଭିଯୁକ୍ତ ଆଗଲପୁର ଥାନା ନଅଗାଁ(କ) ଗ୍ରାମର ନାରାୟଣ ସାହୁଙ୍କୁ ୨ ବର୍ଷ ୯ ମାସ ସଶ୍ରମ କାରାଦଣ୍ଡ ସହିତ ୯ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ଦେଇଥିବା ଜଣାପଡିଛି । ସୂଚନାମତେ, ଗତ ୨୦୨୨ ମସିହା ଅକ୍ଟୋବର ୩୧ ତାରିଖ ଦିନ ନେଗିପାଲି ଗ୍ରାମର ପ୍ରେମରାଜ ଦ୍ୱାରି ଓ ଦିଲୀପ କୁମାର ବିଶି ଲୋଇସିଂହା ସ୍ଥିତ ଏସ୍‌ବିଆଇ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଆସିଥିଲେ । ସେଠାରେ ପୂର୍ବରୁ ଅଭିଯୁକ୍ତ ନାରାୟଣ ଥିଲେ । ଟଙ୍କା ଉଠାଇ ସାରିବା ପରେ କୌଶଳ କ୍ରମେ ପ୍ରେମରାଜଙ୍କ ଏଟିଏମ୍‌କୁ ନାରାୟଣ ବଦଳାଇ ଦେଇ ଅନ୍ୟ ଏକ ଏଟିଏମ୍‌ ଦେଇଥିଲେ, ଯାହା ପ୍ରେମରାଜ ଜାଣି ନ ପାରି ସେଠାରୁ ଚାଲି ଆସିଥିଲେ । ପରେ ଦିଲୀପଙ୍କ ଏଟିଏମ୍‌ କାର୍ଡ ବଦଳ କରୁଥିବା ବେଳେ ଦିଲୀପ ତାହା ଜାଣିପାରି ବିରୋଧ କରିଥିଲେ । ପରେ ଏଟିଏମ୍‌ ସୁରକ୍ଷା କର୍ମୀ ଓ ବାହାରେ ଥିବା ପୋଲିସ ନାରାୟଣଙ୍କୁ କାବୁ କରି ଲୋଇସିଂହା ଥାନାରେ ଜିମା ଦେଇଥିଲେ । ପ୍ରାୟ ୮ ଜଣ ସାକ୍ଷୀଙ୍କ ବୟାନ ଓ ୬ ଗୋଟି ଦସ୍ତାବିଜକୁ ଭିତ୍ତି କରି ମାଜିଷ୍ଟ୍ରେଟ ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଏପିପି ସୁଶିଲ କୁମାର ସୁଶାନି ଏବଂ ପ୍ରୀତିରଞ୍ଜନ ସାହୁ ମାମଲା ପରିଚାଳନା କରିଥିଲେ ।

Leave A Reply

Your email address will not be published.