ସମ୍ବଲପୁର ହିଂସା ଘଟଣାକୁ ନେଇ ଆଜି ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ହରତାଳ ପାଳନ

ଭୁବନେଶ୍ୱର : ସମ୍ବଲପୁର ହିଂସା ଘଟଣାକୁ ନେଇ ବୁଧବାର ୧୪ ଟି ଜିଲ୍ଲାରେ ୧୨ଘଣ୍ଟିଆ ହରତାଳ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ । ଏହି ଆନ୍ଦୋଳନ ଡାକରା ଦେଇଛି ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ।

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ରାଜ୍ୟ ସରକାର ଚାହିଁଥିଲେ ସମ୍ବଲପୁରରେ ଏଭଳି ଘଟଣା ଘଟିନଥାନ୍ତା ବୋଲି କହିଛି ଭି.ଏଚ୍.ପି । ଆଜି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ୧୨ଘଣ୍ଟା ହରତାଳ ଚାଲିଛି । ବିଶ୍ୱହିନ୍ଦୁ ପରିଷଦର ଏହି ହରତାଳ ଡାକରାକୁ ବିଜେପି ସମର୍ଥନ ଘୋଷଣା କରିଛି ।

ସକାଳୁ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଠପ୍‌ ରହିଛି ଗାଡି ଚଳାଚଳ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର । ଜନସାଧାରଣଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ କମିଟି, ସଂଗଠନ ଏହି ବନ୍ଦରେ ସାମିଲ ହୋଇଛନ୍ତି ।

ତେବେ ଶାନ୍ତିଶୃଙ୍ଖଳା ସହ ଏହି ବନ୍ଦକୁ ପାଳନ କରିବା ନେଇ ସୂଚନା ଦେଇଛି ବିଶ୍ୱ ହିନ୍ଦୁପରିଷଦ ଓ ବଜରଙ୍ଗ ଦଳ । ବଲାଙ୍ଗିର ସହର ସମେତ ଟିଟିଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼ ଓ ବିଭିନ୍ନ ବ୍ଲକରେ ମଧ୍ୟ ଏହି ବନ୍ଦ ପାଳନ କରାଯାଉଛି ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ସକାଳୁ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରି ବଜରଙ୍ଗ ଦଳ କର୍ମୀମାନେ ଗାଡିମଟର ଚଳାଚଳ ବନ୍ଦ କରିଛନ୍ତି । ବନ୍ଦକୁ ଆଖିଆଗରେ ରଖି ବ୍ୟାପକ ପୋଲିସ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେବେ ସମ୍ବଲପୁରରେ କର୍ଫ୍ୟୁ ଲାଗୁ ହୋଇଥିବାରୁ ସେଠାରେ ବନ୍ଦ ପାଳନ ହେଉନାହିଁ ।

Leave A Reply

Your email address will not be published.