ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭାରତର ପୂର୍ବତନ ମୁଖ୍ୟ ବିଚାରପତି (ସୁପ୍ରିମକୋର୍ଟ) ସେହରଡ଼ ଅରବିନ୍ଦ ବୋବଡ଼େ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଋଷିକୂଲ୍ୟା ବେଳାଭୂମି ପରିଦର୍ଶନ କରିଥିଲେ । ତାଙ୍କ ସହ ବରିଷ୍ଠ ଆଇଏଏସ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଆର ଭିନ୍ନଲ କ୍ରିଷ୍ଣା ଉପସ୍ଥିତ ଥିଲେ । ପ୍ରଥମେ ଗତକାଲି ରାତି ୯ଟାରେ ରମ୍ଭାରେ ପହଂଚିବା ପରେ ରମ୍ଭା ଥାନା ପୋଲିସର ଜେଡ ପ୍ଲସ ସୁରକ୍ଷା ବଳୟ ମଧ୍ୟରେ ରାତି ୧୧ଟାରେ କଣ୍ଟିଆଗଡ଼ ସ୍ଥିତ ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ପହଂଚି ହଜାର ହଜାର ଛୁଆ ଅଲିଭରିଡଲେ ସମୁଦ୍ର ମଧ୍ୟକୁ ଯାଉଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ ପୂର୍ବତନ ମୁଖ୍ୟ ବିଚାରପତି ବୋବଡ଼େ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଭିନ୍ନଲ କ୍ରିଷ୍ଣା । ସେଠାରେ ପ୍ରାୟ ଦେଢ଼ ଘଣ୍ଟା ବୁଲାବୁଲି କରିବା ପରେ ରାତ୍ର ଗୋଟାଏରେ ଗୋପାଳପୁର ହୋଟେଲ ମେଫ୍ଲାୟାରକୁ ଚାଲି ଯାଇଥିଲେ । ସେଠାରେ ରାତ୍ରି ଯାପନ ପରେ ଭୋରରୁ ପ୍ରାୟ ୪ଟାରେ ପୁଣି ଋଷିକୁଲ୍ୟା ବେଳାଭୂମିକୁ ଯାଇ ବିରଳ ପ୍ରଜାତିର ଅଲିଭରିଡଲେଙ୍କ ବିଭିନ୍ନ ତଥ୍ୟ ପଚାରି ବୁଝିବା ସହ ଛୁଆ କଇଁଛଙ୍କ ଫଟୋ ଉତ୍ତୋଳନ କରିଥିଲେ ପୂର୍ବତନ ମୁଖ୍ୟ ବିଚାରପତି । ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କ ଗସ୍ତ ବେଳେ ଡ଼ିଏଫଓ ଶନି ଖୋଖୋର, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ ପାତ୍ର, ତହସିଲଦାର ଅରୁଣ କୁମାର ନାୟକ, ବିଡ଼ିଓ ଜସ୍ମିନ ପ୍ରଧାନ, ରମ୍ଭା ଥାନା ଆଇଆଇସି ପି ସ୍ୱରୂପ କିଷାନ ପ୍ରମୁଖ ଉପସ୍ଥିତ ଥିଲେ । ଫରମେର ବିଚାରପତିଙ୍କ ଗସ୍ତ ପାଇଁ ଅଗ୍ନିଶମ ଗାଡି, ସ୍ୱତନ୍ତ୍ର ଆମ୍ବୁଲାନ୍ସ ସହ ୧୫ରୁ ଅଧିକ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଗାଡି ଏସକଟରେ ଯାଉଥିବା ଦେଖିବାକୁ ମିଳିଥିଲା । ସେଠାକାର ପରିବେଶ ଦେଖି ଖୁସି ବ୍ୟକ୍ତ କରିଥିଲେ ଏବଂ ସ୍ଥାନୀୟ ପ୍ରଶାସନଙ୍କୁ ଉଭୟ ମୁଖ୍ୟ ବିଚାରପତି ଏବଂ ଶାସନ ସଚିବ ଭୁୟସୀ ପ୍ରଶଂସା କରିଥିଲେ ।