- ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ
ରାଉରକେଲା, (ସସ୍ମିତା ପ୍ରଧାନ) : ପୁରୀର କିରଣ-ଜ୍ୟୋତି ସଂଗୀତ ପରିଷଦ ଓ ତାନପୁରା ପତ୍ରିକା ତରଫରୁ ଓଡିଆ ନଦିୟା ସଂକୀର୍ତ୍ତନ ଉନ୍ମୋଚନ ଉତ୍ସବ ପୁରୀର ସ୍ୱର୍ଗଦ୍ୱାର ସ୍ଥିତ ଶ୍ୟାମସୁନ୍ଦର ମଠ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ପ୍ରତିଷ୍ଠାତା ନାରାୟଣଚନ୍ଦ୍ର ସିହ୍ନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ମଠାଧିଶ ପରମପୂଜ୍ୟ କାଶୀନାଥ ମହାରାଜ ଉଦ୍ଘାଟକ ଭାବେ ଯୋଗ ଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପଣ୍ଡିତ ଦୟାନିଧି ପଣ୍ଡା ବେଦପାଠ କରିଥିଲେ । କବି ଶିବସୁନ୍ଦର ମିଶ୍ରଙ୍କ ସଂଯୋଜନାରେ ପୁରୀ ଶ୍ରୀମନ୍ଦିର ପୁରୋହିତ ଅଧ୍ୟାପକ ଡ. ସିଦ୍ଧେଶ୍ୱର ମହାପାତ୍ର ମୁଖ୍ୟ ଅତିଥି, ରାଉରକେଲାର ବରିଷ୍ଠ ସାମ୍ବାଦିକ, କବି ତଥା ସଂଗଠକ କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆବାହକ ଶ୍ରୀ ସିହ୍ନା ଓ ଅତିଥିମାନେ ଓଡିଆ ନଦିୟା ସଂକୀର୍ତ୍ତନକୁ ଉନ୍ମୋଚନ କରିବା ସହ କଳିଯୁଗରେ ନାମ ସଂକୀର୍ତ୍ତନ ମୁଖ୍ୟ ହୋଇଥିବାରୁ ଓଡିଆ ନଦିୟା ସଂକୀର୍ତ୍ତନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବ ବୋଲି କହିବା ସହ ଏହା ଆଗାମୀ ପିଢି ପାଇଁ ମହାର୍ଘ୍ୟ ବୋଲି ମତ ରଖିଥିଲେ । ଏହା ସହ ସଂସ୍କୃତି କ୍ଷେତ୍ରରେ ଶ୍ରୀସିହ୍ନାଙ୍କ ଅବଦାନକୁ ସମସ୍ତେ ପ୍ରଶଂସା କରିଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତଙ୍କୁ କିରଣ-ଜ୍ୟୋତି ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଗୀତ ନିର୍ଦ୍ଦେଶକ ବିପିନ ବାରିକ, ନୃତ୍ୟଗୁରୁ ଅଶୋକ ଦାସ, କଣ୍ଠଶିଳ୍ପୀ ରାମକୃଷ୍ଣ ବେହେରା, ସମାଜସେବୀ ଶିବପ୍ରସାଦ ପାତ୍ର, ଲାଲା ଅନନ୍ତ ସିଂ, ଜ୍ୟୋସ୍ନାରାଣୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।