ଖପ୍ରାଖୋଲ ଅଞ୍ଚଳରେ ୪୦ ଡିଗ୍ରୀ ଟପିଲା ପାରଦ : ଜଳଛତ୍ରର ବ୍ୟବସ୍ଥା ନଥିବା କାରଣରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ
ଖପ୍ରାଖୋଲ, (ଅଶୋକ ବାଗ) : ଦିନକୁ ଦିନ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପ୍ରବଳ ତାପମାତ୍ରା ସହ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି । ପ୍ରବଳ ଗରମ ଅନୁଭୂତ ହେବାରୁ ରାଜ୍ୟ ସରକାର ସମସ୍ତ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଜଳଛତ୍ର ଖୋଲିବା ପାଇଁ ପ୍ରଶାସନ କେବେ ନିଷ୍ପତ୍ତି ନେବ କେଜାଣି ବୋଲି ମତ ପ୍ରକାଶ ପାଇଛି । ଖପ୍ରାଖୋଲ ତଥା ଆଖପାଖ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ରହିଥିବା ବେଳେ ଅନେକ ସ୍ଥାନରେ ଆହୁରି ଅଧିକ ତାପମାତ୍ରା ରହୁଥିବା ଜଣାପଡିଛି । ପ୍ରବଳ ଗରମ ସହ ଗୁଳୁଗୁଳି ହେତୁ ଖପ୍ରାଖୋଲ ତଥା ଗ୍ରାମାଞ୍ଚଳମାନଙ୍କରେ ଲୋକେ ଯିବା ଆସିବା କରିବାକୁ କଷ୍ଟ ଅନୁଭବ କରୁଛନ୍ତି ବୋଲି ମତ ପ୍ରକାଶ ପାଇଛି । ହେଲେ ଅଦ୍ୟାବଧି ଖପ୍ରାଖୋଲ ତଥା ଆଖପାଖ କୌଣସି ସ୍ଥାନରେ ଜଳଛତ୍ର ଖୋଲା ଯାଇନଥିବାରୁ ଖପ୍ରାଖୋଲକୁ ବିଭିନ୍ନ ଗ୍ରାମାଞ୍ଚଳରୁ ଆସୁଥିବା ଯାତ୍ରୀ ପାଣି ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଖପ୍ରାଖୋଲ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ହୋଇଥିବା ବେଳେ ୨୧ଟି ପଞ୍ଚାୟତର ଲୋକ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ଶହ ଶହ ଲୋକ ଏଠାକୁ ଆସି ପ୍ରବଳ ଗରମରେ ଅସ୍ତବ୍ୟସ୍ତ ହୋଇ ପାଣି ପାଇଁ ଡହକବିକଳ ହେଉଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ପ୍ରଶାସନର ସରକାରୀ କର୍ମଚାରୀ ବାତାନୁକୁଳିତ ଗାଡ଼ିରେ ବୁଲି ଏଥିପ୍ରତି ଦୃଷ୍ଟି ଦେଇ ଖପ୍ରାଖୋଲ ତଥା ଆଖପାଖ ଗ୍ରାମାଞ୍ଚଳରେ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଜଳଛତ୍ରର ବ୍ୟବସ୍ଥା କଲେ ଲୋକେ ଉପକୃତ ହେବେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।