csstore

ଛାତ୍ରୀ ପରିଷଦର ୪୩ତମ ବାର୍ଷିକ ଉତ୍ସବ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ସ୍ଥାନୀୟ ନଳିନୀ ଦେବୀ ଶିକ୍ଷକ ଶିକ୍ଷା ମହିଳା ମହାବିଦ୍ୟାଳୟ ଛାତ୍ରୀ ପରିଷଦର ୪୩ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଗାୟତ୍ରୀ ମହାନ୍ତିଙ୍କ ପୌରାହିତ୍ୟରେ ସଭାକାର୍ଯ୍ୟ ସମ୍ପାଦିତ ହୋଇଥିଲା । ଡକ୍ଟର ମହାନ୍ତି ତାଙ୍କର ଭାଷଣରେ ଅତିଥିମାନେ କିପରି ସମାଜ ସେବାରେ ବ୍ରତୀ ଅଛନ୍ତି ତାହା ଉପରେ ଆଲୋକପାତ କରିଥିଲେ । ଛାତ୍ରୀ ପରିଷଦର ଉପଦେଷ୍ଟା ଡକ୍ଟର ସବିତା ନାୟକ ଅତିଥିଙ୍କର ସୁଦୀର୍ଘ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ଛାତ୍ରୀମାନଙ୍କୁ ଉଦ୍‌ବୋଧିତ କରିବା ସହିତ ଉତ୍ତମ ଶିକ୍ଷକ ହୋଇ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିବା ନିମନ୍ତେ ଉପଦେଶ ଦେଇଥିଲେ । ଭୁବନେଶ୍ଵର ମହାନଗର ନିଗମ ୩୫ ନମ୍ବର ୱାର୍ଡର ଜନ ପ୍ରତିନିଧି ଶ୍ରୀମତୀ ରଞ୍ଜୁଳତା ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ଉଦଯୋଗୀ ହେବା ପାଇଁ ଉପଦେଶ ଦେବା ସହିତ ମହିଳା ମହାବିଦ୍ୟାଳୟର ଉନ୍ନତି ନିମନ୍ତେ ସର୍ବଦା ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଛାତ୍ରୀ ପରିଷଦର ସଭାପତି ସୁଶ୍ରୀ ଅଭୀପ୍ସା ନାଥ ମହାବିଦ୍ୟାଳୟର ବିଭିନ୍ନ ଦିଗର ଉନ୍ନତି ନିମନ୍ତେ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିସାରିବା ପରେ ସମ୍ପାଦିକା ସୁଶ୍ରୀ ଦିବ୍ୟାରାଣୀ ପ୍ରସାଦ ବାର୍ଷିକ ବିବରଣୀ ପାଠ କରିଥିଲେ । ବହୁସଂଖ୍ୟକ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଯୋଗଦେଇ ଉକ୍ତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.