ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା ହିଁ ଜୀବନ ଗଢି ତୋଳିବାର ମୁଖ୍ୟ ସ୍ରୋତ । ଶିକ୍ଷା ଗ୍ରହଣ କଲେ ଜୀବନର ଲକ୍ଷ୍ୟ ହାସଲ କରି ହେବ । କୋଭିଡ ମହାମାରୀ ଆସିବା ଦିନଠାରୁ ସବୁ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ସେ ଭିତରୁ ଶିକ୍ଷା ବିଭାଗ ଅନ୍ୟତମ । କୌଣସି ପିଲା ଶିକ୍ଷା ଗ୍ରହଣ କରିବାରୁ ଯେମିତି ବଞ୍ଚିତ ନ ରହନ୍ତୁ ସେ ଦିଗରେ ସରକାରଙ୍କ ଏ ହେଉଛି ପଦକ୍ଷେପ । ଯେଉଁ ମାନେ ଅଧାରୁ ପାଠପଢା ଛାଡ଼ି ଦେଉଛନ୍ତି, ତାଙ୍କୁ ସ୍ଥାନୀୟ ସଚେତନ ନାଗରିକ ବୁଝାଇ ସୁଝାଇ ଯଦି ଶିକ୍ଷା ଗ୍ରହଣ କରାଇବାରେ ସାହାଯ୍ୟ କରିବାକୁ ଚାହେଁ ତା’ହେଲେ ଏ ହେଉଛି ଉଚିତ ସମୟ । ଏହାକୁ ଆଖି ଆଗରେ ରଖି ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥଙ୍କ ଅଧ୍ୟକ୍ଷତାରେ ବୁଧୁବାର ଦିନ ସକାଳ ୧୧ଟା ସମୟରେ ସ୍ଥାନୀୟ ବିଆରସି ବିଲ୍ଡିଂ ପ୍ରାଙ୍ଗଣରୁ ଏକ ଶିକ୍ଷା ସଚେତନତା ରଥ ବାହାରିଛି । ପାଞ୍ଚ ଦିନ ବ୍ୟାପି ସହର ଓ ବ୍ଲକମାନଙ୍କୁ ଯାଇ ପରିକ୍ରମା କରିବ ଏହି ସଚେତନତା ରଥ । ଏହାଦ୍ୱାରା ପାଠପଢା ଛାଡ଼ି ଦେଇଥିବା ଛାତ୍ର, ନୂତନ ଛାତ୍ର, ବିଦ୍ୟାର୍ଥୀ, ଲୋକ, ଅଭିଭାବକ ଏବଂ ସଚେତନ ନାଗରିକଙ୍କୁ ସଚେତନ କରାଇବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ ଏବଂ କୌଣସି ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ନ ରୁହନ୍ତୁ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରଥ କହିଛନ୍ତି ।
ଏହି ଶିକ୍ଷା ସଚେତନତା ରଥକୁ ଉଦ୍ଘାଟନ କରିବା ପାଇଁ ମୁଖ୍ୟ ଅତିଥି ଭାବେ ଟିଟିଲାଗଡର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ତହସିଲଦାର ଡ. ଲଲିତ ବାଗ, ଟିଟିଲାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିରାମ ମାଝୀ, ସମସ୍ତ ସିଆରସି, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ତେବେ ସମସ୍ତଙ୍କୁ ଆଗକୁ ଆଗେଇ ଆସିବାକୁ ପଡ଼ିବ, ନିଜ ପାଖରେ ଯେଉଁ ଛାତ୍ରଛାତ୍ରୀ ପାଠପଢା ଛାଡ଼ି ଦେଇଛନ୍ତି ସେମାନଙ୍କୁ ନିକଟ ବିଦ୍ୟାଳୟକୁ ନେଇ ପୁଣି ଥରେ ନାମ ଲେଖାଇ ଆଗାମୀ ଭବିଷ୍ୟତମାନଙ୍କ ଜୀବନ ଗଢି ତୋଳିବା ପାଇଁ ଏ ହେଉଛି ସରକାରଙ୍କ ପକ୍ଷରୁ ଗୋଟିଏ ପ୍ରୟାସ । ସେମିତି ବି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ କୌଣସି ଛାତ୍ରଛାତ୍ରୀଙ୍କୁ ଫିସ୍ ଦେବାକୁ ପଡେ ନାହିଁ କାରଣ ସରକାର ସମସ୍ତ ଖର୍ଚ୍ଚ ବହନ କରନ୍ତି । ସେଥିପାଇଁ ଏହି ସଚେତନତା ରଥରେ ସ୍ଳୋଗାନ ଲେଖା ହୋଇଛି ‘ଚାଲ ଆମେ ସ୍କୁଲ ଯିମା, ଆମେ ପଢ଼ମୁଁ, ଗଢ଼ମୁଁ, ଶ୍ରେଷ୍ଠ ହେମୁଁ’ ।