jayashree

ପ୍ରତି ଗ୍ରାମ ପଞ୍ଚାୟତରେ ସେଟଲମେଣ୍ଟ କ୍ୟାମ୍ପ କରିବା ନିମନ୍ତେ ଆମ୍ବେଦକର ସମତା ପରିଷଦ ପକ୍ଷରୁ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତି ଗ୍ରାମ ପଞ୍ଚାୟତରେ ସେଟଲମେଣ୍ଟ କ୍ୟାମ୍ପ କରିବା ନିମନ୍ତେ ଆମ୍ବେଦକର ସମତା ପରିଷଦ ପକ୍ଷରୁ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଛତ୍ରପୁର ତହସିଲରେ ଦୀର୍ଘ ୪୬ ବର୍ଷ ହେଲା ଜମିଜମା ରେକର୍ଡ ସଂଶୋଧନ ହୋଇପାରିନାହିଁ । ପୂର୍ବ ପୁରୁଷମାନଙ୍କ ନାମରେ ଥିବା ଜମିଜମା ଗୁଡିକ ପ୍ରକୃତ ହିତାଧିକାରୀମାନେ ଭୋଗ କରିପାରୁନାହାନ୍ତି । ଯେହେତୁ ତାଙ୍କ ନାମରେ ପଟ୍ଟା ହୋଇପାରିନାହିଁ । ଫଳରେ ସେମାନଙ୍କ ପିଲାଙ୍କ ପାଠପଢା, ଧାନ ବିକିବା ଆଦି ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଜମିଜମାର ରେକର୍ଡ ସଂଶୋଧନ କରିବା ପାଇଁ ନିର୍ଦ୍ଦେଶ ଆସିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଏହା ସହିତ ବସୁନ୍ଧରା ଯୋଜନାରେ ଗରିବ ଜମିହୀନମାନଙ୍କୁ ୧୦ ଡେସିମିଲ ଜାଗା ଦେବା ପାଇଁ ନିୟମ ରହିଥିଲେ ସୁଦ୍ଧା ବହୁ ଜମିହୀନ ପରିବାର ଏହି ସୁବିଧାରୁ ବଞ୍ଚିତ ରହୁଛନ୍ତି । ଏଣୁ ରାଜସ୍ୱ ବିଭାଗ ପକ୍ଷରୁ ପ୍ରତି ଗ୍ରାମ ପଞ୍ଚାୟତରେ ସେଟଲମେଣ୍ଟ କ୍ୟାମ୍ପ କରି ଜମିଜମା ରେକର୍ଡ ସଂଶୋଧନ କରିବା ନିମନ୍ତେ ଛତ୍ରପୁର ଆମ୍ବେଦକର ସମତା ପରିଷଦ ପକ୍ଷରୁ ଦାବୀ କରାଯାଇଛି । ଏ ସମ୍ପର୍କରେ ଏକ ଲିଖିତ ସ୍ମାରକପତ୍ର ଛତ୍ରପୁର ତହସିଲଦାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ନଚେତ୍ ଆଗାମୀ ଦିନରେ ଜନସାଧାରଣମାନଙ୍କ ହିତ ନିମନ୍ତେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଛତ୍ରପୁର ଆମ୍ବେଦକର ସମତା ପରିଷଦର ସଭାପତି ଭାଗିରଥି ବେହେରା, ପ୍ରଶାନ୍ତ କୁମାର ବେହେରା, ନିଳାଦ୍ରୀ ପ୍ରଧାନ, ପୂର୍ବତନ ସରପଞ୍ଚ ଟି.ଗାଉରିଆ ରେଡ୍ଡୀ, ଟି. କ୍ରିଷ୍ଣା ରାଓଙ୍କ ସମେତ ବହୁ ଅଂଚଳବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.