ଷଷ୍ଠ ଦିନରେ ପହଂଚିଲା ନକଲି ସାର୍ଟିଫିକେଟ୍‌ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସାର୍ଟିଫିକେଟ୍‌ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆଜି ଷଷ୍ଠ ଦିନରେ ପହଂଚି ଥିବା ବେଳେ ପ୍ରତ୍ୟହ ନୂଆ ନୂଆ ତଥ୍ୟ ମିଳୁଛି ବୋଲି କ୍ରାଇମବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ପୁଣି ନକଲି ସାର୍ଟିଫିକେଟ୍‌ ପ୍ରସ୍ତୁତ ହେଉଥିବା ରିଲାଏନ୍ସ ଏଜୁକେସନ୍ କଂପ୍ଲେକ୍ସରେ ଆଜି ଅପରାହ୍ନରେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ପହଂଚି ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଅନ୍ୟ ଅଧିକାରୀଙ୍କ ସହ ତଦନ୍ତ କରିଛନ୍ତି । ନକଲି ସାର୍ଟିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ତାଙ୍କ ପାର୍ଟନର ଆଲୋକ ଉଦ୍‌ଗାତା ଏବଂ ଅନ୍ୟ ଦୁଇଜଣ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକ୍‌ଙ୍କୁ ଗତକାଲି ୩ ଦିନ ପାଇଁ କ୍ରାଇମ୍‌ ବ୍ରାଞ୍ଚ ରିମାଣ୍ଡରେ ନେବା ପରେ ଆହୁରି ତନାଘନା ଖୋଳତାଡ଼ ଆରମ୍ଭ ହୋଇଛି । ଅଭିଯୁକ୍ତମାନଙ୍କୁ ସାମ୍ନା ସାମ୍ନି କରି ମଧ୍ୟ ସତ ବାହାର କରୁଛି କ୍ରାଇମ୍‌ ବ୍ରାଞ୍ଚ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ଅଭିଯୁକ୍ତମାନେ ନକଲି ସାର୍ଟିଫିକେଟ୍‌ କାରବାର ସଂପର୍କରେ ସତ୍ୟ ଓଗାଳୁଥିବା ବି ଶୁଣିବାକୁ ମିଳୁଛି । ଏହି ମାମଲାର ମାଷ୍ଟର ମାଇଣ୍ଡ୍‌ ମନୋଜ ମିଶ୍ର ଓ ପାର୍ଟନର୍‌ ଆଲୋକ ଉଦ୍‌ଗାତାଙ୍କ ପତ୍ନୀଙ୍କୁ ଟାଉନ୍‌ ଥାନାକୁ ଡକାଇ କ୍ରାଇମ୍‌ ବ୍ରାଂଚର ଦୁଇ ଜଣ ଅଧିକାରୀ ଘଟଣାର ବିଭିନ୍ନ ଦିଗ ଉପରେ ପଚରା ଉଚୁରା ଚଳାଇଥିବା ଜଣାପଡ଼ିଛି । ତେବେ ମାମଲାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ତାଙ୍କ ପାର୍ଟନର ଆଲୋକ ଉଦ୍‌ଗାତା ଏବଂ ଅନ୍ୟ ଦୁଇଜଣ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକ୍‌ଙ୍କୁ ଘନଘୋର ଜେରାରେ ଆହୁରି ଅନେକ ଦଲାଲ ଓ ନକଲି ସାର୍ଟିଫିକେଟ୍‌ଧାରୀ ଗିରଫ୍‌ ହେବେ ବୋଲି କୁହାଯାଉଛି ।

Leave A Reply

Your email address will not be published.