jayashree

ବଲାଙ୍ଗିରରେ ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିବାଦରେ ନାଗରିକ କମିଟିର ଗଣଧାରଣା ଏପ୍ରିଲ ୧୨ରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକଦା ବଲାଙ୍ଗିର ଜିଲ୍ଲା ଏକ ଅଗ୍ରଣୀ ଜିଲ୍ଲା ରୂପେ ପରିଗଣିତ ହୋଇଥିବା ବେଳେ ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ଅବକ୍ଷୟ ଆଡକୁ ଗତି କରୁଛି । ତେଣୁ ଜିଲ୍ଲାରେ ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟର ବିଭିନ୍ନ ଅସୁବିଧାର ପ୍ରତିବାଦରେ ଆସନ୍ତା ଏପ୍ରିଲ ୧୨ ତାରିଖ ବଲାଙ୍ଗିର ନାଗରିକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଛି । ଏ ସମ୍ବନ୍ଧରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା କମିଟିର ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । କମିଟିର ସଭାପତି ଇଂ ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ, ସାଧାରଣ ସଂପାଦକ ମନୋରଂଜନ ସାହୁ ବିଭିନ୍ନ ଅନୁଷ୍ଠାନରେ ଖାଲି ପଡିଥିବା ପଦବୀ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ଏଠାରେ ଏକ କୃଷି ବିଶ୍ୱ ବିଦ୍ୟାଳୟ, ବିଇଡି କଲେଜରେ ଏମ୍‌ଇଡି ପାଠ୍ୟକ୍ରମ, ସ୍ୱାସ୍ଥ୍ୟ ବିଶେଷଜ୍ଞ ନିଯୁକ୍ତି ତଥା ମହିଳା ମହାବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ, ଆୟୁର୍ବେଦିକ ଓ ଏଲୋପାଥିକ କଲେଜର ଉନ୍ନତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏ ସମ୍ବନ୍ଧରେ ଆଗରୁ ରାଜ୍ୟ ସରକାରଙ୍କୁ କମିଟି ତରଫରୁ ଲିଖିତ ଭାବରେ ଅବଗତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମାଧାନ ନ ହେବାରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଆବଶ୍ୟକତା ରହିଛି ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତେଣୁ ଆସନ୍ତା ଏପ୍ରିଲ ୧୨ ତାରିଖ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଉକ୍ତ ଧାରଣା କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ, ସାମାଜିକ ଓ ଶିକ୍ଷାନୁଷ୍ଠାନର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସାମିଲ କରିବା ପାଇଁ କମିଟିର ସଂପାଦକ ଶ୍ରୀ ସାହୁ ଅନୁରୋଧ କରିଛନ୍ତି । ଆଲୋଚନାରେ ଉପସଭାପତି ନିତ୍ୟାନନ୍ଦ ମିଶ୍ର, ଗଜେନ୍ଦ୍ର ଭମର, ଗୋପଭୂଷଣ ନାଥ, ଜୟରାମ ମିଶ୍ର, ପୀତବାସ ପଣ୍ଡା, ଗୋପବନ୍ଧୁ ପୁରୋହିତ, ବିମଳ ଚୋପଦାର, ଶାନ୍ତନୁ ମିଶ୍ର, ପର୍ଶୁରାମ ନାୟକ, ମାଲିଆ ଗଡୁଆ, ସଲିମ ଖାନ, ଦୁର୍ଗା ପ୍ରଶନ୍ନ ଛୁରିଆ, ଗୋପାଳକୃଷ୍ଣ ମିଶ୍ର ଓ ଅଶୋକ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସହସଂପାଦକ ଚକ୍ରପାଣି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.