jayashree

୮୮ତମ ଉତ୍କଳ ଦିବସ ପାଳନ ଓ ନୂତନ ଶିକ୍ଷାବର୍ଷରକୁ ସ୍ୱାଗତ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହା ସହିତ ନୂତନ ଶିକ୍ଷାବର୍ଷ ୨୦୨୩-୨୪କୁ ସ୍ୱାଗତ କରାଯାଇ ଶିଶୁ ଓ ଅଭିଭାବକଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଶିକ୍ଷାବର୍ଷର ପ୍ରଥମ ଦିବସ ଅବସରରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ରାମାଧିନ ସଂସ୍କୃତ ମହାବିଦ୍ୟାଳୟ, ବ୍ରହ୍ମପୁରର ଅଧ୍ୟକ୍ଷ ପଣ୍ଡିତ ହରିହର ଦାଶ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନରେ ପଞ୍ଚସଖାଙ୍କର ଭୂମିକା ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଅବଦାନ ସମ୍ପର୍କରେ ଜ୍ଞାନ ଦର୍ଶନ ଉପରେ ପ୍ରତିପାଦନ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିଲେ ଏବଂ ସେ ଉତ୍କଳ ଦିବସର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ଶିଶୁମାନଙ୍କ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଶିକ୍ଷାବର୍ଷ ୨୦୨୧-୨୨ରେ ଦଶମ ଶ୍ରେଣୀ ପରୀକ୍ଷାରେ ଛତ୍ରପୁର ସହରାଞ୍ଚଳସ୍ତରୀୟ ଟପର ହୋଇଥିବା ଏହି ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ପ୍ରଗତିରାଣୀ ଦାଶଙ୍କୁ IOCL ସୌଜନ୍ୟରେ ମିଳିଥିବା ୧୦,୦୦୦/- ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା ।

ଶିଶୁ ବାଟିକା ବିଭାଗରେ ନୂତନ ନାମଲେଖା ଶିଶୁଙ୍କ ପ୍ରଥମ ଦିନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ୬୦ଜଣ ଶିଶୁ ଓ ସେମାନଙ୍କର ଅଭିଭାବକ ଉପସ୍ଥିତ ରହିଥିଲେ । ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave A Reply

Your email address will not be published.