lika

ବଲାଙ୍ଗିର ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳିତ : ଭାଷା ,ସାହିତ୍ୟ ,ସଂସ୍କୃତି , ଐତିହ ଓ ପରମ୍ପରାର ସୁରକ୍ଷା ଦିଗରେ ସମସ୍ତେ ଚେଷ୍ଟିତ ହେବା ଉପରେ ଗୁରୁତ୍ଵାରୋପ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ଅପରାହ୍ନରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ, ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ବନଖଣ୍ଡ ଅଧିକାରୀ ନିତୀଶ କୁମାର, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଡ. ଉମାବଲ୍ଲଭ ମହାପାତ୍ର ଓ ବଲାଙ୍ଗିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଓଡିଶାର ବରପୁତ୍ରମାନେ ଯେଉଁ ନିଃସ୍ଵାର୍ଥପର ତ୍ୟାଗ ଓ ଉଦ୍ୟମ କରିଥିଲେ ସେମାନଙ୍କ ସ୍ମୃତିଚାରଣ କରିବା ସହ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ପୃଷ୍ଠଭୂମୀ ସମ୍ପର୍କରେ ଆଲୋଚନା କରିଥିଲେ । ଭାଷା, ସାହିତ୍ୟ, ସଂସ୍କୃତି, ଐତିହ ଓ ପରମ୍ପରାର ସୁରକ୍ଷା ଦିଗରେ ସମସ୍ତେ ଚେଷ୍ଟିତ ହେବା ଉପରେ ଗୁରୁତ୍ଵାରୋପ କରିଥିଲେ । ସଭା ପ୍ରାରମ୍ଭରେ ଅତିଥିମାନେ ଓଡିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉତ୍ସବରେ ୨୦୧୭ ମସିହା ପାଇଁ ରାଜ୍ୟ ଶିକ୍ଷକ ପୁରସ୍କାର ପାଇଥିବା ବଲାଙ୍ଗିର ଜିଲ୍ଲାର ଦୁଇଜଣ ଶିକ୍ଷକଙ୍କୁ ଅତିଥିମାନେ ପୁରସ୍କାର, ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ । ପୁରସ୍କାର ପାଇଥିବା ଏହି ଦୁଇଜଣ କୃତୀ ଶିକ୍ଷକ ହେଲେ ହର୍‌ଡାଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଭାରତୀ ପଟ୍ଟନାୟକ ଓ ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା । ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ଓ ଉତ୍କଳ ବନ୍ଦନା ଗାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ସଭାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସାଧାରଣ ସଭା ପରେ ସ୍ଵର ଝଙ୍କାର ବଲାଙ୍ଗିରର ଛାତ୍ରଛାତ୍ରୀମାନେ ସମବେତ ସଂଗୀତ ଏବଂ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଲୋଇସିଂହାର ସଙ୍ଗୀତ ସାଧନା ଓ ବଲାଙ୍ଗିରର ଦୁଲଦୁଲି କଳାପରିଷଦ ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ସାଧାରଣ ସଭାରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରସ୍ତୁତ ଭିଡିଓକୁ ଏଲଇଡି ସ୍କ୍ରିନ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ସକାଳରେ ବଲାଙ୍ଗିର ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜିଲ୍ଲାପାଳ ଚଞ୍ଚଳ ରାଣା , ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସକାଳରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତ ଫେରି କରାଯାଇଥିଲା । ଜିଲ୍ଲାସ୍ତରୀୟ ଓଡିଶା ଦିବସର ସମସ୍ତ କାର୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ ସଂଯୋଜନା କରିଥିଲେ । ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟରେ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା ।

sandip
Leave A Reply

Your email address will not be published.