jayashree

ଦେଓଗାଁରେ ଝଡ଼ ତୋଫାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳରେ ଗତକାଲି ଝଡ଼ ବାତ୍ୟା ହେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏପରି କି ଝଡ଼ ତୋଫାନ ହେତୁ ବଡ଼ ବଡ଼ ଗଛ ଉପୁଡି ପଡ଼ିଥିବାରୁ ଦେଓଗାଁ-ସଇଁନ୍ତଲା ରାସ୍ତା ଜାତୀୟ ରାଜପଥ ୨୬ରେ ଦୀର୍ଘ ସମୟ ଧରି ଗାଡିଗୁଡ଼ିକ ଅଟକି ରହିଥିଲା । କିଛି ସ୍ଥାନରେ ଘର ଉପରେ ବିଦ୍ୟୁତ ଖୁଣ୍ଟ ପଡିଥିଲା ତ ପୁଣି କେଉଁଠି ରାସ୍ତା ଉପରେ ଟ୍ରାନ୍ସଫର୍ମର ପଡିରହିଛି । ଦେଓଗାଁ ସଦର ପଞ୍ଚାୟତର ବିଭିନ୍ନ ପଡାରେ ଡ୍ରେନ୍‌ ଉପରେ ପାଣି ବୋହିବା ଯୋଗୁଁ ଘରକୁ ବର୍ଷା ପାଣି ପଶିଥିବା ଦେଖା ଯାଇଥିଲା । ସୋନଗଡ଼ ନଦୀ ପୋଲ ଉପରେ ପାଣି ଲହଡ଼ା ମାରୁଥିବା ଦେଖିବାକୁ ମିଳିଥିଲା । ଯାତ୍ରୀମାନେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଦେଓଗାଁ ବଙ୍ଗଳା ଛକରେ ଦୀର୍ଘ ବର୍ଷ ପୂର୍ବରୁ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସେହିପରି ବ୍ଲକର ଗୌଡ଼ଗୋଠ, ଉପରଝର ପଞ୍ଚାୟତର ବିଭିନ୍ନ ଗାଁରେ ପନିପରିବା ଚାଷ ନଷ୍ଟ ହୋଇଥିବା ବେଳେ କୁଲୁତାପଡା, ସିଙ୍ଗାଟିମାଲ ଗାଁରେ ଘର ଉପରେ ଗଛ ପଡିଥିବା ସୂଚନା ମିଳିଛି । ମାଲପଡା ଗାଁରେ ଝଡ଼ ତୋଫାନ ଯୋଗୁଁ ଟ୍ରାନ୍ସଫର୍ମର ଉପୁଡି ପଡ଼ିଛି । ଯୁଦ୍ଧକାଳୀନ ଭିଭିରେ ଦେଓଗାଁ ଅଗ୍ନିଶମ ବାହିନୀ ବିଭିନ୍ନ ସ୍ଥାନକୁ ଯାଇ ରାସ୍ତା ଉପରେ ପଡିଥିବା ଗଛ ଗୁଡିକୁ କଟର୍‌ରେ କାଟି ହଟେଇ ରାସ୍ତା ସଫେଇ କରୁଛନ୍ତି । ବିଭିନ୍ନ ଗାଁରେ ବିଦ୍ୟୁତ ସେବା ମଧ୍ୟ ଠପ୍‌ ହୋଇଯାଇଛି ।

Leave A Reply

Your email address will not be published.