କେଜିବିଭିରେ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ପୋନ୍ନିସୁଗର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଭିତ୍ତିଭୂମି ଭରପୁର ଅଛି । ଗୋଟିଏ ଅନୁଷ୍ଠାନ ଭିତରେ ଅତି ଛୋଟ ସମୟରୁ ପାଠ ପଢ଼ିବା ସହ ଖେଳିବା, ଗୀତ ଗାଇବା, ନାଚିବା, ଚିତ୍ରାଙ୍କନ କରିବା ପୁଣି ରହିବା ପାଇଁ ସବୁ ପ୍ରକାର ଶିକ୍ଷା ବ୍ୟବସ୍ଥା ଅଛି । ଏହି ସୁଯୋଗକୁ ଛାତ୍ରୀମାନେ ହାତ ଛଡ଼ା କରନ୍ତୁ ନାହିଁ । ଏପରି ଅନୁଷ୍ଠାନରେ ଅଧ୍ୟୟନ କରି ଦେଶର ପ୍ରତି‌ଷ୍ଠିତ ବ୍ୟକ୍ତି ହେବାର ବହୁ ଉଦାହରଣ ରହିଛି ବୋଲି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଓଗାଁ ଅତିରିକ୍ତ ବିଡ଼ିଓ ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ ମତଦାନ କରିଥିଲେ । ପୂର୍ବ ସିଆରସିସି ତଥା ଗାଈବାହାଲ ୟୁଜିଏଚଏସର ପ୍ରଧାନ ଶିକ୍ଷକ ସଞ୍ଜିବ ଷଢ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ଅନୁ‌ଷ୍ଠାନର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କଲାପରେ ଫଟୋଚିତ୍ରରେ ପୂଜା ଅର୍ଚ୍ଚନା ଓ ଅତିଥିମାନଙ୍କୁ ଅନୁ‌ଷ୍ଠାନର ପ୍ରଧାନ ଶିକ୍ଷୟିତୀ ମମତାରାଣୀ ମିଶ୍ରଙ୍କ ଦ୍ୱାରା ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ୨୦୦୯ ମସିହାରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ଗତ ୨୦୧୩ରୁ ପ୍ରଧାନ ଶିକ୍ଷୟିତୀ ଭାବେ ଦାୟିତ୍ୱ ନେଇ ସମସ୍ତଙ୍କ ସହଯୋଗରେ କ’ଣ ହୋଇପାରିଛି ସେହି ବିଷୟରେ ଶ୍ରୀମତୀ ମିଶ୍ର ବିବରଣୀ ପଠନ ମାଧ୍ୟମରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଏବିଇଓ ଅଜିତ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ କବିରାଜ ମାଝୀ, ସିଆରସିସି ପଦ୍ମଲୋଚନ ସୁନା, ଅନୁଷ୍ଠାନର ସଭାପତି ନୀଳମଣୀ ଦୀପ ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲ ହଷ୍ଟେଲରେ ଶହେ ଜଣ ଝିଅ ରହିବା ବ୍ୟବସ୍ଥା ଥିବା ବେଳେ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି । ଯେ କୌଣସି ବ୍ୟବସ୍ଥା ନ କଲେ ଅନୁଷ୍ଠାନ ତିଷ୍ଟି ରହିବା ଅସମ୍ଭବ । ତେଣୁ ମୁଖ୍ୟ ଅତିଥିଙ୍କ ଜରିଆରେ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସେହିପରି ଚଳିତ ବର୍ଷ ନବମ ଶ୍ରେଣୀ ଛାତ୍ରୀମାନଙ୍କ ଅଧ୍ୟୟନ କରିବାକୁ ବ୍ୟବସ୍ଥା କରାଯିବାକୁ କମିଟି ପକ୍ଷରୁ ଦାବୀ କରାଯାଇଥିଲା । ବାର୍ଷିକ କ୍ରୀଡ଼ାରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ବରିଷ୍ଠ ନିର୍ଦ୍ଦେଶକ ଅର୍ଜୁନ ନନ୍ଦଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଶିକ୍ଷୟିତ୍ରୀ ଯାଜ୍ଞସେନୀ ସରାଫ, ସୁଧାଂଶିନୀ ପାଣିଗ୍ରାହୀ, ଅନିଲ ନାଏକ, ନିହାରିକା ମେହେରା, ନିରୁପମା ମେହେର, ନିଲିମା ବିଶି, ମିନା ମଲ୍ଲିକ, ନିହାରିକା ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.