
ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ଏବଂ ରଘୁନାଥପାଲି ସାଂଗଠନିକ କମିଟି ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୦ତମ ବଳିଦାନ ଦିବସ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର ୧୬ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ସିପିଆଇଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ତଥା ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପକ ଡ. ପ୍ରଭାତ ମଲ୍ଲିକ, ଅନ୍ୟତମ ବକ୍ତା ଭାବେ ଅଧ୍ୟାପକ ଡ. ନଗେନ୍ ଦାସ ପ୍ରମୁଖ ବକ୍ତବ୍ୟ ରଖି ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମାରେ ଜନ୍ମଗ୍ରହଣ କରିଥିବା ଶହୀଦ ଲକ୍ଷ୍ମଣ ନାୟକ ଇଂରେଜ ସରକାର ଏବଂ ତତ୍କାଳୀନ ରାଜା ରାଜୁଡାମାନଙ୍କର ଅତ୍ୟାଚାର, ଶୋଷଣ ବିରୁଦ୍ଧରେ ବେଠି, ଗୋତି, ଗଡମ ପ୍ରମୁଖ ଦ୍ୱାରା ପ୍ରଜାମାନଙ୍କୁ ଅମାନୁଷିକ ଓ ନିର୍ଦ୍ଦୟ ଶୋଷଣ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିଥିଲେ । ସାଧାରଣ ଲୋକଙ୍କୁ ଗୋତି ବ୍ୟବସ୍ଥାରୁ ମୁକ୍ତ କରିବା, ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ପାଇଁ ସେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ । ତତ୍କାଳୀନ ରାଜା ରାଜୁଡ଼ା ଓ ଇଂରେଜମାନଙ୍କ ମନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଆନ୍ଦୋଳନ ଭୟ ସୃଷ୍ଟି କରିଥିଲା । ଏକ ମିଥ୍ୟା ମକର୍ଦ୍ଦମାରେ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରାଯାଇଥିଲା ଏବଂ ତିନି ମାସ ମଧ୍ୟରେ ବ୍ରହ୍ମପୁର ଜେଲ୍ରେ ୧୯୪୩ ମସିହା ଏପ୍ରିଲ ୨୯ ପ୍ରତ୍ୟୁଷରେ ତାଙ୍କୁ ଫାଶୀ ଦିଆଯାଇଥିଲା ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଶହୀଦ ଲକ୍ଷ୍ମଣ ନାୟକଙ୍କ ଭଳି ଅନେକ କ୍ରାନ୍ତିକାରୀ ଅଛନ୍ତି ଯେଉଁମାନଙ୍କୁ ଭାରତ ବର୍ଷର ଇତିହାସରେ ସଠିକ୍ ଭାବେ ମୂଲ୍ୟାୟନ କରାଯାଇନାହିଁ । ବିଭିନ୍ନ ଜନଜାତିର ମଧ୍ୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଭଳି ଅନେକ କ୍ରାନ୍ତିକାରୀ ଅଛନ୍ତି ସେମାନଙ୍କୁ ଉଚିତ୍ ସମ୍ମାନ ମିଳିବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଭ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ହୃଦୟାନନ୍ଦ ଯାଦବ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଆଲୋଚନା ସଭାକୁ ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଭ୍ୟ ବିଶ୍ଵଜିତ ମାଝୀ, ତାଜମୁନ୍ ନେହାର, ଭଗବାନ କୁଣ୍ଡୁ, ସୁରେନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଅରୁଣ ମହାରଣା, ଏନ୍ ଏନ୍ ପାଣିଗ୍ରାହୀ, ବସନ୍ତ ପାଢ଼ୀ, ଜ୍ୟୋସ୍ନାମୟୀ ଧୂପାଳ, ବାସୁଦେବ ସାହୁ, ଏନ୍ କେ ରାଉତରାୟ, ପ୍ରସନ୍ନ ମହାପାତ୍ର, ବୁବୁନ ମାଇତି, ଜି କେ ନାୟକ, ପ୍ରଦୀପ ସେଠୀ, କୁଳମଣି ରାଉତ, ଜୟନ୍ତୀ ନାୟକ, ରଜତ ମୁଣ୍ଡା, ଗୋବିନ୍ଦ ବାରିକ୍, ସୁରେନ୍ଦ୍ର ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।