jayashree

ମାହେଶ୍ୱରୀ ସଂଗଠନର ୬ଷ୍ଠ ବାର୍ଷିକୋତ୍ସବ ଅନୁଷ୍ଠିତ

  • ଡ. ରାମଚନ୍ଦାନୀଙ୍କୁ ଲଳିତନାୟକ ସେବାସମ୍ମାନ
  • ମହିଳା ସଶକ୍ତ ହେଲେ ରାଜ୍ୟ ତଥା ଦେଶ ଆଗେଇବ – ଜାଗିମଙ୍ଗତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଆଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ତାର ୬ଷ୍ଠ ବାର୍ଷିକୋତ୍ସବ ପାଳନ କରିଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓ ଟିଭିର ସିଇଓ ତଥା କୋ-ଫାଉଣ୍ଡର ଜାଗିମଙ୍ଗତ ପଣ୍ଡା କହିଛନ୍ତି ଯେ, ଆମ ଦେଶର ମୋଟ ଜନସଂଖ୍ୟାର ୫୦% ହେଉଛନ୍ତି ମହିଳା । ଦେଶ ଗଠନରେ ତାଙ୍କର ଯଥେଷ୍ଟ ସହଭାଗିତା ରହିଛି । ତେଣୁ ମହିଳା ସଶକ୍ତ ହେଲେ ରାଜ୍ୟ ତଥା ଦେଶ ଆଗେଇବ ବୋଲି ମତ ଦେଇଛନ୍ତି । ବଲାଙ୍ଗିର ହେଉଛି ମା’ ସମଲେଶ୍ୱରୀ ଓ ମା’ ପାଟଣେଶ୍ୱରୀଙ୍କ ମାଟି । ତେଣୁ ଏଠି ମାତୃଶକ୍ତିକୁ ଯଥେଷ୍ଟ ସମ୍ମାନ ମିଳୁଛି ବୋଲି କହିବା ସହିତ ମାହେଶ୍ୱରୀ ସଂଗଠନର ସମାଜ ସେବା କାମରେ ଯେଉଁ ମହିଳାମାନେ ଆଗେଇ ଆସିଛନ୍ତି ତାଙ୍କୁ ପ୍ରୋତ୍ସାହିତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଶ୍ରୀମତୀ ପଣ୍ଡା କହିଛନ୍ତି । ସ୍ଥାନୀୟ ଟାଉନ ହଲ୍‌ଠାରେ ମାହେଶ୍ୱରୀ ସଂଗଠନର ସଭାପତି ଅଙ୍କୁଶ ପାଣ୍ଡିଆଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ଡ. ଲଲିତକୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜାଗିମଙ୍ଗତ ପଣ୍ଡା, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଓଭୋ ଫାର୍ମର ଲିଡ ଆନାଲିଷ୍ଟ ଶ୍ରୀମତୀ କାମ ଲିନ ଲାଇ ଓ ରାରିଆନ କମ୍ପାନୀର ସିଇଓ ଅନିରୁଦ୍ଧ ମିଶ୍ର ଯୋଗ ଦେଇଥିଲେ । ସେହିପରି ମାହେଶ୍ୱରୀ ସଂଗଠନର ଉପଦେଷ୍ଟା ବ୍ୟାସଦେବ ନନ୍ଦ, ଦୀନେଶ ଶର୍ମା ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀମତୀ ଲାଇ ତାଙ୍କ ବକ୍ତବ୍ୟରେ ବଲାଙ୍ଗିର ମାଟିକୁ ସେ ୧୦ବର୍ଷ ତଳେ ବିଦେଶରୁ ବୋହୂ ହୋଇ ଆସିବା ପରେ ତାଙ୍କ ପରିବାରର ସମସ୍ତେ ଆପଣାଇ ନେଇଥିଲେ । ପରେ ସେ ଓଭୋ ଫାର୍ମର ବ୍ୟବସାୟରେ ସାମିଲ ହେବା ପରେ ଲୋକଙ୍କ ସହିତ ମିଶିବାର ସୁଯୋଗ ମଧ୍ୟ ମିଳିଛି । ତେବେ ତାଙ୍କ ଦେଶ ଭିଏତନାମାରେ ମହିଳା ଅଧିକ ସ୍ୱାବଲମ୍ବୀ । ଏଠାରେ ଆମର ମାନସିକତାରେ ପରିବର୍ତ୍ତନ ଆସିଲେ ଆହୁରି ମହିଳା ସଶକ୍ତିକରଣ ହୋଇପାରିବେ ବୋଲି କହିଥିଲେ । ଏହି ଅବସରରେ ୧ ଟଙ୍କିଆ କ୍ଲିନିକ ଖୋଲି ବୁର୍ଲାରେ ପଶ୍ଚିମ ଓଡିଶାର ଗରିବ ଲୋକଙ୍କୁ ଚିକିତ୍ସାସେବା ଯୋଗାଇ ଆସୁଥିବା ଭୀମସାର ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡ. ଶଙ୍କର ରାମଚନ୍ଦାନୀଙ୍କୁ ଲଳିତନାୟକ ସେବାସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଦୁଲଦୁଲି କଳାପରିଷଦକୁ ମାହେଶ୍ୱରୀ କଳାସମ୍ମାନ ଓ ସୁକାନ୍ତ ପରିଚ୍ଛାଙ୍କୁ ଏଣ୍ଟରପ୍ରିନ୍ୟୁରସିପ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ମାହେଶ୍ୱରୀ ସଂଗଠନର ସଭାପତି ଅଙ୍କୁଶ ପାଣ୍ଡିଆ ସଂଗଠନର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିବା ବେଳେ ସଂପାଦକ ଶୋଭନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ, ଜେଆଇଟିଏମ, ସିଏନସି କଲେଜ ଓ ଅନ୍ୟାନ୍ୟ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅତିଥିଗଣ ରଖିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.