ଆଗଲପୁର ତହସିଲର ଖାଲି ପଦବୀ ପୂରଣ ହେବ କେବେ : ସାଧାରଣରେ ପ୍ରଶ୍ନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲରେ ଦୀର୍ଘ ଦିନ ହେବ ବିଭିନ୍ନ ପଦବୀ ଖାଲି ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟ କରି ବର୍ତମାନ ତହସିଲଦାର ଛୁଟିରେ ଥିବା ବେଳେ ଅତିରିକ୍ତ ତହସିଲଦାର ମଧ୍ୟ ନଥିବାରୁ ଲୋକେ ବିଭିନ୍ନ କାର୍ଯ୍ୟ ପାଇଁ ତହସିଲରୁ ଆସି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତହସିଲ ଅଧିନରେ ଆଗଲପୁର, ବାବୁଫାସଡ, ଡୁଡୁକା, ସାଲେଭଟା, ବେନ୍ଦ୍ରା, ଭରସୂଜା ରହିଛି । ଫଳରେ ଆରଆଇ ମାନଙ୍କ ଦ୍ୱାରା କିଛିନା କିଛି କାର୍ଯ୍ୟ ସୂଚାରୁରୂପେ ହେଉଛି ଏବଂ କର୍ମଚାରୀ ନଥିବା ଯୋଗୁଁ କେତେକ ତହସିଲ କାମରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି । ତହସିଲରେ ଜମି ମାପର ଆଦେଶ, ପ୍ରମାଣପତ୍ର, ଜମିମାପ, ଜମିପଟ୍ଟା ତଥା ଅନ୍ୟାନ୍ୟ କାର୍ଯ୍ୟ ହୋଇଥାଏ । କିଂତୁ ବର୍ତ୍ତମାନ ତହସିଲରେ କନିଷ୍ଠ କିରାଣୀ ୨ଜଣ, ସିନିୟର କିରାଣୀ ୨ ଜଣ, ପିଅନ ୫ ଜଣ, ଅମିନ ୬ ଜଣ ପଦବୀ ଖାଲି ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଅଭିଯୋଗ ଅନୁସାରେ ଯେଉଁ କର୍ମଚାରୀ ବଦଳି କିମ୍ବା ଅବସର ନିଅନ୍ତ ତେବେ ସେହି ପଦବୀରେ ପୁନଃ କୌଣସି କର୍ମଚାରୀ ଆସିନଥାନ୍ତି କି ନୂତନ କର୍ମଚାରୀ ନିଯୁକ୍ତି କରାଯାଏ ନାହିଁ । ଫଳରେ ପ୍ରତ୍ୟକ କାର୍ଯ୍ୟ ଧିମେଇ ଧିମେଇ ଅନ୍ୟ କର୍ମଚାରୀ ଦାୟିତ୍ବ ନେଇ କରିଥାନ୍ତି । ଆଗଲପୁର ତହସିଲ ଅଧିନରେ ଥିବା ରାଜସ୍ବ ଗ୍ରାମ ଗୁଡିକ ମଧ୍ୟରୁ କୁଟାସିଂହା, ନଅଗାଁ (କ), ନଅଗାଁ (ଖ), ବେନ୍ଦ୍ରା, ପଟୁଆପାଲି ଆଦି ୧୫ ରୁ ୨୦ କିଲୋମିଟର ଦୂରରେ ଥିବାରୁ କୌଣସି କାମପାଇଁ ଲୋକେ ଆସିଲେ ଏବଂ କାମ ନହେଲେ ହଇରାଣ ହୋଇ ଫେରୁଥିବା ଅଭିଯୋଗ ହେଉଛି । ଏଣୁ ଯଥାଶୀଘ୍ର ଉକ୍ତ ଖାଲି ପଦବୀ ପୂରଣ ପାଇଁ ଅଂଚଳର ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.