ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଡୁମ୍ବେରପିଟା ପଞ୍ଚାୟତ ସମ୍ମୁଖରେ ୪ ଦଫା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ତରଫରୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରୁ ଅନିଶ୍ଚିତତା କାଳୀନ ଧାରଣା ଆରମ୍ଭ ହୋଇଯାଇଛି । ଏହି ଧାରଣାର ନେତୃତ୍ୱ ନେଇଥିବା ଭିଲେଜର୍ସ ଇଣ୍ଡିଆ ପାର୍ଟିର ଅଧ୍ୟକ୍ଷ ଡ. ବିପିନ କୁଶଲିଆ ଏ ସଂକ୍ରାନ୍ତରେ ଦେଓଗାଁ ବିଡିଓ ସୁରେନ୍ଦ୍ର ମେହେରଙ୍କୁ ଇଓ ସୂର୍ଯ୍ୟମଣି ମେହେରଙ୍କ ଜରିଆରେ ଏକ ଦାବୀପତ୍ର ଦେଇଥିବା ବେଳେ ଏ ସଂପର୍କରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ଅବଗତ କରାଇଛନ୍ତି । ଦାବୀପତ୍ରରେ ଦର୍ଶଯାଇଛି ଯେ, ବଣ ଜଙ୍ଗଲ ଘେରା ଡୁମ୍ବେରପିଟା ପଞ୍ଚାୟତର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ଧୂଆଁ ବାଣ ମାରିଚାଲିଛନ୍ତି । ଦୀର୍ଘ ୭ ବର୍ଷରୁ ଅଧିକ ହେଲା ପଞ୍ଚାୟତ ଗଠନ ହୋଇଥିଲେ ମଧ୍ୟ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ବିଦ୍ୟାଳୟର ବ୍ୟବସ୍ଥା କରି ନାହାନ୍ତି । ଯଦିଓ ୧୯୬୨ ମସିହାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ବର୍ତ୍ତମାନ ୮ଟି ଶ୍ରେଣୀ ଥିବା ଏହି ସ୍କୁଲରେ ମାତ୍ର ୨ଟି ଶ୍ରେଣୀ କୋଠରୀ ଅଛି । ୨ ବର୍ଷ ହେଲା ସ୍କୁଲ ପୋଷାକ ମିଳୁନାହିଁ କି ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା ନାହିଁ । ଅନ୍ୟପକ୍ଷରେ ଲୋୟର ସୁକତେଲ ବୁଡ଼ି ଅଞ୍ଚଳରେ ଥିବା ସାନତେଲେନପାଲି ଛାତ୍ରାବାସ ବନ୍ଦ ଥିବାରୁ ଡୁମ୍ବେରପିଟାରେ ଏହି ସୁଯୋଗ ଦେବାକୁ ଦାବୀ ହୋଇଛି । ସେହିପରି ୨ ବର୍ଷ ହେଲା ବସୁଧା ଯୋଜନାରେ ୧କୋଟି ଟଙ୍କାରୁ ଅଧିକ ମଞ୍ଜୁର ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ । ଯାହା ଫଳରେ ୧ ହଜାର ଜନସଂଖ୍ୟା ଥିବା ଡୁମ୍ବେରପିଟା ପଞ୍ଚାୟତବାସୀ ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ବର୍ତ୍ତମାନ କେବଳ ନଳକୂପର ପାଣି ଉପରେ ନିର୍ଭର କରୁଛନ୍ତି । ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ଦାବୀ କରିଛନ୍ତି । ସେହିପରି ଡୁମ୍ବେରପିଟା ପଞ୍ଚାୟତର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଦଳକୁ ୪୦ଟି ଜରସି ଗାଈ ଋଣ ଜରିଆରେ ଯୋଗାଇ ଦିଆଯାଇଥିଲା । ହେଲେ ଖାଦ୍ୟ ଅଭାବରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪ଟି ଗାଈ ମୃତ୍ୟୁ ବରଣ କରିଛନ୍ତି । ଗାଈମାନଙ୍କୁ ଉନ୍ନତ ମାନର ଘାସ ଚାଷ କରି ଯୋଗାଇବାକୁ ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦେଓଗାଁ ବ୍ଲକ ଜରିଆରେ ୧୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ହେଲେ କାର୍ଯ୍ୟକାରୀ କରାଯାଇ ନ ଥିବାରୁ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ଦାବୀ କରିଛନ୍ତି । ସେହିପରି ମନରେଗା ଯୋଜନାକୁ ସହଯୋଗ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମ ରୋଜଗାର ସେବକ ବା ଜିଆରଏସ ନିଯୁକ୍ତି କରାଯାଇନାହିଁ । ଯଦିଓ ପଞ୍ଚାୟତ ଗଠନ ହେବାର ୭ ବର୍ଷରୁ ଅଧିକ ହେଲା । ଯାହା ଦ୍ୱାରା ଜନ ମଙ୍ଗଳ କାମର ରୂପାନ୍ତର ହୋଇପାରୁ ନାହିଁ । ଉପରୋକ୍ତ ୪ ଦଫା ଦାବୀ ପୂରଣ ନ କଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଜାରି ରହିବ ବୋଲି ଶ୍ରୀ କୁଶଳିଆ କହିଛନ୍ତି । ଏ ସଂକ୍ରାନ୍ତରେ ବିଡ଼ିଓଙ୍କୁ ପଚାରିବାରୁ ଦାବୀକୁ ନେଇ ଅନୁଧ୍ୟାନ କରାଯିବ ଓ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମେହେର କହିଛନ୍ତି । ଏହି ଧାରଣାରେ ସ୍ଥାନୀୟ ସରପଞ୍ଚ ବାସନ୍ତୀ ପଟେଲ ସହ ୫ଜଣ ୱାର୍ଡ଼ ସଭ୍ୟ ଓ ଡୁମ୍ବେରପିଟା ପଞ୍ଚାୟତସ୍ତରୀୟ କୃଷକ ସଂଘର ସଭାପତି କେଦାର ମାଝୀ ପ୍ରମୁଖ ସହଯୋଗ କରିଥିଲେ ।