ପାଇକମାଲରେ ଟାଟା ପାୱାରର କାର୍ଯ୍ୟକଳାପରେ ଘୋର ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଟାଟା ପାୱାର ଆସିଲା ପରେ ବିଦ୍ୟୁତ ଉପଭୋକ୍ତାମାନେ ଆଶା କରିଥିଲେ ବିଦ୍ୟୁତ ସେବା ଠିକ୍‌ ଭାବେ ମିଳିବ ବୋଲି । କିନ୍ତୁ ବିଦ୍ୟୁତ କର୍ମଚାରୀଙ୍କ ନାମରେ ଆସୁଛି ନାନା ପ୍ରକାରର ଅଭିଯୋଗ । ଲୋକେ କହୁଛନ୍ତି ସବୁବେଳେ ତାର ଟଣା ଓ ମରାମତି ନାମରେ ଚାଲିଛି ପାୱାର କଟ, ତା’ସହ ଲୋ ଭୋଲ୍ଟଟେଜ, ଘରଘର ବୁଲି ଜୋର ଜବରଦସ୍ତ ବିଲ କଲେକସନ୍‌, ମିଟର ସ୍ଥାପନ, ଚେକିଂ, ଭିଜିଲାନ୍ସ କର୍ମଚାରୀମାନେ ବିନା ଅନୁମତିରେ ପୁରୁଷ ଲୋକ ନ ଥିଲେ ମଧ୍ୟ ଘର ଭିତରେ ପ୍ରବେଶ, ମନମୁଖୀ ଫାଇନ କରିବା, ଲାଇନ ଲାଗି ନ ଥିଲେ ମଧ୍ୟ ବିଲ ଆସିବା, ମିଟର ବସାଇଲେ କର୍ମଚାରୀ ମାନେ ମାଗୁଛନ୍ତି ଟଙ୍କା, ଲାଇନ କାଟି ପୁଣି ଯୋଡ଼ିଲେ ମାଗୁଛନ୍ତି ଟଙ୍କା, ନୂଆଁ ଲାଇନ ଘର ମାନଙ୍କରେ ଲଗାଇଲେ ମାଗୁଛନ୍ତି ଟଙ୍କା, ବିଲ୍‌ କମ୍‌ କରି ଦେବି ବୋଲି ମାଗୁଛନ୍ତି ଟଙ୍କା, ଫିଉଜ କଲ୍‌ କରିବା ପାଇଁ ଘରକୁ ଆସିଲେ ଦେବାକୁ ପଡୁଛି ଟଙ୍କା, ଚାଷୀମାନେ ଏଲ୍‌ଆଇ ପଏଣ୍ଟ କରିବା ପାଇଁ ଲାଇନ ମେନ ସର୍ଭେ କଲେ ଲାଇନ କର୍ମଚାରୀଙ୍କୁ ଦେବାକୁ ପଡେ ଟଙ୍କା । ତେଣୁ ବିଦ୍ୟୁତ କର୍ମଚାରୀମାନଙ୍କୁ ଦେଖିଲେ ଉପଭୋକ୍ତା ମାନେ କାଳେ ଟଙ୍କା ଦେବାକୁ ପଡିବ ବୋଲି ତାଙ୍କର ସହ କଥା ହେବା ପାଇଁ ଏବେ ଲୋକେ ଡରୁ ଥିବାର ଦେଖାଯାଏ । କମ୍ପାନୀ କହୁଛି ଯଦି ଟାଟା ପାୱାରର କର୍ମଚାରୀମାନେ କୌଣସି କାମ ପାଇଁ ଟଙ୍କା ମାଗିବେ କିମ୍ବା ଠିକ୍‌ ସମୟରେ ଘରୋଇ କମ୍‌ପ୍ଲେନର ସମାଧାନ କର୍ମଚାରୀ ମାନେ ନ କରିବେ ତେବେ ଟୋଲ ଫ୍ରି ନମ୍ବରରେ ଫୋନ କରିବା ପାଇଁ କମ୍ପାନୀ ଫୋନ ନମ୍ବର ଜାରି କରିଛନ୍ତି । ହେଲେ ଏହି ନମ୍ବରକୁ କଲ କଲେ ଲାଗୁ ନ ଥିବାରୁ କର୍ମଚାରୀ ମାନେ ଲୋକଙ୍କଠାରୁ ମନମୁଖୀ ଟଙ୍କା ମାଗୁଥିବା ଅଭିଯୋଗ ହେଉଛି । କମ୍ପାନୀ କର୍ମଚାରୀ ମାନଙ୍କ ସୁବିଧା ପାଇଁ ଚାରି ଚକିଆ ଗାଡ଼ିର ବ୍ୟବସ୍ଥା କରିଛି ଶୀଘ୍ର କାମ ହେବ ବୋଲି, କିନ୍ତୁ ଆଗେ ଯେପରି କାମ ହେଉଥିଲା ଏବେ ସେପରି ହେଉ ନଥିବା ଲୋକେ କହୁଛନ୍ତି । ତେଣୁ ଏ ସବୁ ବିଷୟରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତଦନ୍ତ କରି ପାଇକମାଲ ବିଦ୍ୟୁତ ଗ୍ରାହକ ମାନେ ଯେପରି ହଇରାଣ ହରକତ ନହେବେ ତଥା ଯେତେ ବିଭାଗୀୟ କର୍ମଚାରୀ ମାନେ ଅଛନ୍ତି ସେମାନେ ମାଗଣା ବିଦ୍ୟୁତ ବ୍ୟବହାର ନକରି ଗ୍ରାହକ ହେବା ପାଇଁ ବ୍ୟବସ୍ଥା କରିବେ ସେନେଇ ଏସ୍‌ଡିଓ ମଧ୍ୟ ଦୃଷ୍ଟି ଦିଅନ୍ତୁ ବୋଲି ଜନସାଧାରଣ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.